STORYMIRROR

Padmalaya Mishra

Others

3  

Padmalaya Mishra

Others

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

1 min
14.3K


ତୁ କିଏ ଅବା ମୋର ଯେ

ମୁଁ କରିବି ଅଭିମାନ

ମୋ ଦୁଃଖରେ କି ଲୁହରେ

ବୁଝେ କେମିତି ତୋ ମନ ।।

ଜଗନ୍ନାଥ ନାମ ନେଇ

ହେଇଥିବେ କେତେ ପାରି

ମୋ ଜୀବନ ନଉକାର

କେବେ ହୋଇନୁ ନାଉରି ।।

ପିତା ତୁଲ୍ୟ ଭକ୍ତି କଲି

ତଥାପି ଯନ୍ତ୍ରଣା ଦେଲୁ

ପୁତ୍ର କରି ଗେଲେଇଲି

ମମତାକୁ ଦୁରେଇଲୁ ।

ଦାସୀ ହୋଇ ନୃତ୍ୟ କଲି

ଭାଗ୍ୟୋଦୟ ହେଲା ନାହିଁ

ବୁଝିଗଲି କାଳିଆରେ

ମୋ ପାଇଁ କରୁଣା ନାହିଁ ।

ଜୀବନ ଆକାଶେ ଜହ୍ନ

ମୋ ପାଇଁ ଉଦୟ ନାହିଁ

ତଥାପି ବଞ୍ଚିଚି ଜଗା

ତୋ କଳାବଦନ ଚାହିଁ ।।

ଦାତାପଣେ ତୋର ଯଶ

କିପାଇଁ ଅଣ୍ଟି ମୋ ଖାଲି

ଏମିତି କି ଦୋଷ ମୋର

କାହିଁକି ଅନାଥ ହେଲି ।।

ଦୁଃଖ ପରେ ସୁଖ ଆସେ

ମୋ ଭାଗ୍ୟେ କି ଖାଲି ଦୁଃଖ

ଜନ୍ମରୁ ଯନ୍ତ୍ରଣା ପାଇ

ଦୂରେ ଦୂରେ ରହେ ସୁଖ।।

ଉଡିବନି ତୋର ବାନା

ଶ୍ରୀମନ୍ଦିର ହେବ ଶୂନ୍ୟ

ଭକତିରେ ବନ୍ଧା ଜଗା

ମିଛ ବୋଲି ହେବ ଗଣ୍ୟ ।।

ଚାହିଁନି ମୋ କଳାକାହ୍ନୁ

ପାଉ କେବେ ଅପବାଦ

ଯେଣୁ ସେ ମୋ ପ୍ରାଣଧନ

ମୋର ହୃଦୟ ସମ୍ପଦ ।।

ଆସ ଆସ ଜଗନ୍ନାଥ

ବିରାଜ ହୃଦୟ ରଥେ

ଥାଉ ପଛେ ଯେତେ ଦୁଃଖ

ଚାଲିବି ଜୀବନ ପଥେ ।।

..... ପଦ୍ମାଳୟା


Rate this content
Log in