ଜଗନ୍ନାଥ ଓ ରଥଯାତ୍ରା
ଜଗନ୍ନାଥ ଓ ରଥଯାତ୍ରା
କିଏ କହେ
ବିଶ୍ବର ବନ୍ଧୁ ତୁମେ
ପୁରୁଷଉତ୍ତମ,
କିଏ କହେ ଚକାଡ଼ୋଳା
ଜଗତର ନାଥ
ତୁମେ ପରମ୍ ବ୍ରହ୍ମ ।
ତୁମକୁ ନେଇ କ'ଣ
ଲେଖିହୁଏ କବିତା ?
ଏ ସାଧାରଣ ଅକ୍ଷର କେଇଟା
କେମିତି ବର୍ଣ୍ଣନା କରିବ
ସୀମାହୀନ ବ୍ଯାପ୍ତି ତୁମ
ରୂପ ଅନୁପମ ।
ଯିଏ ନିରାକାର
ତାଙ୍କୁ କେମିତି
ଦେବି ଯେ ଆକାର ?
ଏହା ନିଶ୍ଚେ ଅପଚେଷ୍ଟା
ଭାଷା ଅସମର୍ଥ
କରିବାକୁ ବ୍ୟକ୍ତ
ହୃଦୟର ଅନୁଭବ
ତୁମେ ଯେ ଅବ୍ୟକ୍ତ ଅସୀମ ।
ତୁମ ଚକାଡ଼ୋଳା ଭିତରେ ଯେ
କେତେ ଆକର୍ଷଣ
କେତେ ଯେ କୁହୁକ ପଣ
ଚାହିଁଦେଲେ ଧୋଇଯାଏ
ସବୁ ଦୁଃଖ ଅବସାଦ ଦ୍ବନ୍ଦ
ଅଶାନ୍ତି ଅପ୍ରେମ ।
ତମକୁ କିଛିବି ମାଗିବାକୁ
ଲେଉଟେନା ଜିଭ
ଭାବେ............
କ'ଣ ବା ଅଜଣା ତୁମକୁ ?
ଅନେକ୍ ଥର ଯାଇଚି ଦୁଆର
ହେଲେ କିଛି ମାଗିବାକୁ
ବଳେ ନାହିଁ ମନ,
କହେ.............
ତୁମ ଇଚ୍ଛା ପୂର୍ଣ୍ଣ ହେଉ
ମୁଁ ଯେ ନିମିତ୍ତ ମାତର
ସ୍ଥୂଳ ଦେହେ ତୁମେ ସୁକ୍ଷ୍ମତମ ।
ବିଶ୍ବରେ ମହାନ୍
ତୁମ ରଥ ଯାତ
ଦେଖି ଯାଏ ସତ
ଏହା ତ ଲୌକିକ
ହେଲେ -
ଏ ହୃଦୟ ରଥରେ ତ
ତୁମେ ସବୁବେଳେ ଅଛ
ଅହରହ ଦେଖୁଛି ମୋ
ତୃତୀୟ ନୟନ
ତା ଭିତରେ ଭରୁଥାଏ ଜୀବନର
ଧର୍ମ ଅର୍ଥ କାମ ମୋକ୍ଷ ପ୍ରେମ ।
ମୂଢ ଏ ମାନବ
ସଉଦା ଯେ କରେ ତୁମ ନାମେ
ନିଷ୍ଠୁର ନିର୍ମମ
ଶ୍ରୀମନ୍ଦିରେ ଘଟାଉଛି
କେତେ ଅଘଟଣ
ହେ ବିଶ୍ବ ମୋହନ !
ଅବୁଝା ସନ୍ତାନ ଭାବି
ନିଜ ଗୁଣେ କ୍ଷମ ।
କବିତା ଏ ନୁହେଁ,
ହୃଦୟର ସ୍ଵର
ଅନୁଭବ ସାଗରରୁ
ବିନ୍ଦୁଏ ମାତର
ତୁମ ଘୋଷଯାତ୍ରା ଆସୁଥାଉ
ବାର ବାର
ନୀଳଚକ୍ରେ ବାନା ତୁମ
ଉଡୁ ନିରନ୍ତର ।।
