ଜଗନ୍ନାଥ ଓ ଘୋଷଯାତ୍ରା
ଜଗନ୍ନାଥ ଓ ଘୋଷଯାତ୍ରା
ନୀଳାଚଳ ଧାମେ ଦାରୁବ୍ରହ୍ମ ଅବତାର
ଚାରିକୋଟି ଓଡିଆଙ୍କ ହୃଦୟର ଅଧୀଶ୍ଵର
ଧରି କେବେ ସୂକ୍ଷ୍ମ ପୁଣି ସ୍ଥୁଳକାୟ ଶରୀର
ଲୀଳାମୟ ତୁମେ ସଦା ଭକ୍ତଙ୍କୁ ଅଗୋଚର ।
ବଡସାନ ଛୁଆଁ ଅଛୁଆଁ ଧନୀ ନିର୍ଦ୍ଧନୀ ଜାତି ଓ ଜାତିର
ନାହିଁ ବଡ ଦେଉଳେ କେବେ ପାତର ଅନ୍ତର
ସର୍ବଧର୍ମ ସମନ୍ଵୟର କରୁଣା ସାଗର
ଅତୁଳନୀୟ ତୁମ ମହିମା ଅପାର ।
ଜନ୍ମମୃତ୍ୟୁ ଲୀଳାଚକ୍ରେ ହୋଇ ନବକଳେବର
ପତିତ ପାବନ ଲାଗି ଖୋଲିଦିଅ ପଥ ମୁକ୍ତିର
ଭାଇ ଭଉଣୀ ସଙ୍ଗେ ଧରି ପଟୁଆର
ଭକ୍ତଙ୍କ ମେଳେ ହୋଇଯାଅ ଏକାକାର ।
ବରଷକେ ଥରେ ମିଳନ ଆତ୍ମା ପରମାତ୍ମାର
ଭାବ ଓ ବିଶ୍ଵାସର ତୁମେ ଅନାଦି ଅଣାକାର
ଜୀବନ ବଡଦାଣ୍ଡେ ଗଡେ ନନ୍ଦିଘୋଷ ମୋର
ଘଣ୍ଟ ହୁଳହୁଳି ମୃଦଙ୍ଗର ତାନେ ମୁଁ ଅଧୀର ।
ବୁଦ୍ଧି ଅଟଇ ସାରଥୀ ମୋ ରଥର
ସୁଶୋଭିତ ଇନ୍ଦ୍ରିୟ ଅଶ୍ଵ କି ମନୋହର
ଘୋଷଯାତ୍ରା କାଳେ ଲଗାମ ଧରିଛି ମନର
ତୁମ ପ୍ରେମେ ସଦା ଉଲ୍ଲସିତ ଜୀବନଟା ମୋର ।
ଶେଷ ଅଛି ପରା ସବୁ ଆରମ୍ଭର
ଯାତ୍ରା ଶେଷେ ଵାହୁଡି ଯିବା ପୁଣି ଘର
ଛାଡି ରାଗ ହିଂସା ଅଭିମାନର ସଂସାର
ବାଣ୍ଟୁଥିବା ସଭିଙ୍କୁ ହର୍ଷ ଉଲ୍ଲାସର ଉପହାର ।
