ଜଗଦମ୍ବା
ଜଗଦମ୍ବା
ତୁମେ ମାତା ଜଗଦମ୍ବା ଅମ୍ବିକା ଶଙ୍କର ବାମା
ଶୂଳଧାରୀ ମାହେଶ୍ଵରୀ ଉମାଶକ୍ତି ଅନୁପମା
ଶକ୍ତି ରୂପୀ ସ୍ଵରୂପିଣୀ ତୁମେ ସତ୍ତ୍ୱ ରଜ ତମା
ଆସିଲକି ଧରାଧାମେ ତୁମେ ଦୂର୍ଗା ତୁମେ ଭାମା
କାଶତଣ୍ଡି ଫୁଲ ବାସେ ନଦୀ ତୀର ଧାରେ ଧାରେ
ଶାରଦୀୟ ବାଆ ବୋହେ ଭାରି ଭାରି ମହକରେ
ଅପରୂପ ଶୋଭାରାଶି କେତେ ଫୁଟେ ମହୀପରେ
ଦୂର୍ଗାମାତା ବିଜେ ବୋଲି କେତେ ଖୁସି ଆନନ୍ଦରେ।
ଭୂବନ ମୋହିନୀ ମାଆ ଶରଣଗୋ ଦିଅ ଥରେ
ଯାଉ ଯେତେ ଦୁଃଖ ଅଛି ତୋଆଶିଷ ସାଗରରେ
ଦୁଃଖ ଯାଇ ସୁଖ ଆସୁ ଜୀବନର ଜାହ୍ନବୀରେ
ନପାଆନ୍ତୁ ଦୁଃଖ କେହି ଲହୁ ଲୁହ ଯାଉ ଦୂରେ।
ତ
ୋର ରୂପ ଦେଖୁ ଆମେ ମଣ୍ଡପରେ ହୋଇ ଠିଆ
ଆଲୋକର ମାଳା କେତେ ସାଜସଜ୍ଜା ନୂଆ ନୂଆ
ନିଶାମୁଖ ହେଲେଜ୍ଵଳ ନିଶା ଆସେ ନିଶୀଥରେ
ଭକ୍ତଜନେ ଦେଖୁଥାନ୍ତି ଦୂର୍ଗାରୂପ ମୃଣ୍ମୟୀରେ
ଦୟାର ସାଗର ତୁହି ଦୟିନୀ ମୋ ଦଶହରେ
ଦୟାମୟୀ ରୂପ ତୋର ଦେଖୁଥିବି ଦିଦୃକ୍ଷାରେ
ଉତ୍କଣ୍ଠିତ ଭାବ ମୋର ହେଉଥାଉ ପ୍ରତିଭାତ
ପାଇବାକୁ ଶ୍ରଦ୍ଧା ତୋର ଆସୁଥିବ ଆଶୁସ୍ଫୁର୍ତ୍ତ
ଜଗତର ଜନନୀ ଗୋ ମହିଷମର୍ଦ୍ଦିନୀ ମାଆ
ଅଭୟଦାୟିନୀ ତୁମେ ଦୁର୍ଗତିରେ ଅଟ ସାହା
ଦୁଷ୍ଟ ବିନାଶିନୀ ମାଆ ଶାନ୍ତି ପ୍ରୀତି ପ୍ରବାହିନୀ
ତବାଶିଷ ଦିଅଭରି କରୁଣାରେ କର ଋଣୀ
ପ୍ରଶାନ୍ତ କୁମାର ହୋତା