ଜେଜେଙ୍କର ଗପ
ଜେଜେଙ୍କର ଗପ
ଆଜି ଭାରି ମନେ ପଡେ
ଜେଜେଙ୍କର ଗପ ,
ଦାନବୀର ହରିଶ୍ଚନ୍ଦ୍ର ,ଶ୍ରବଣ କୁମାର
ମନେ ପଡେ ଏକଲବ୍ୟ
ଧ୍ରୁବ ପ୍ରହଲ୍ଲାଦ !
ମନେ ପଡେ ତିନିମୁଣ୍ଡିଆ ଗପର
କାରୁଣ୍ୟ ରାଗିଣୀ
ଆମ ଗାଁ ବାସେଳୀ ବୁଢି ଠାକୁରାଣୀ
ମନଗଡା କେତେ
ଉଦ୍ଭଟ ଭୂତ ପ୍ରେତ ପିଶାଚ କାହାଣୀ ।
ଆଜି ଭାରି ମନେ ପଡେ
ଜେଜେଙ୍କର ଗପ .....
ମାଈସଞ୍ଜବେଳେ ପଡିଯାଏ
ଅଗଣାରେ ସପ ।
ହାଟ ଫେରା ଜେଜେଙ୍କର ହସହସ ମୁହଁ
ଗୁଡିଆ ଦୋକାନର ସଜ ଗଜା
ଚଣା ଭଜା ଅବା ଜିଲାପିରେ
ରହିଥାଏ ଆଖି
ଗପଟିଏ ଶୁଣିବାର ଯାବତ ଉତ୍କଣ୍ଠା
ମନତଳେ ଚାପି ।
ଜେଜେ ଦିନେ ଗପ ହୋଇଗଲେ ନିଜେ
ଦେବୀ ନଈ କରାଳ ଗର୍ଭରେ
ହାଟ ଡଙ୍ଗା ବୁଡିଗଲାପରେ ,
ତାଙ୍କ ମାଛଧରା ଜାଲ ଚାଳଉପରେ
ସେଇମିତି ଶୁଖିଲା ପଡିଲା
ବାରିପଟେ ଟଙ୍ଗା ଯାଇଥିବା ପୋଳୁହ
ନୁଖୁରା ପଡିଲା ,
ଅଭିମାନୀ ସୋରିଷ ତେଲର ଟିଣ ଡବା
କାନ୍ଥରେ ଝୁଲିଲା ।
ଜେଜେ ମୋର ଗପ ହୋଇଗଲା !
ଜେଜେ ଥିଲେ ଘରର ମୂରବୀ
ମେରିଖୁଣ୍ଟ ,
ଜେଜେ ମୋର ବଡ ଅଭିମାନୀ
ଜଗିଥାଏ ନିଜର ମହତ
ପୁଅ ବୋହୁ ନାତି ନାତୁଣୀ ଙ୍କ
କୋଳାହଳେ
ଶୁଣୁଥାଏ ନିତି ଭାଗବତ ।
ଧନ ଠାରୁ ମାନ ଯେ ଅଧିକ
କହୁଥାଏ କାନେ କାନେ ମୋର
ପରଦ୍ରବ୍ୟ ଅମେଧ୍ୟ ସମାନ
ନିଜ ବଳେ ହୁଅ ବଳିୟାନ ,
କେଉଁ ଆଡେ ମିଳାଇ ଗଲେ ସେ
ଜଳି ଜଳି ସୁବାସିତ ଧୂପ
ଭାରି ମନେ ପଡେ ଆଜି
ଜେଜେଙ୍କର ଗପ ।