STORYMIRROR

Pranati Mahapatra

Others

3  

Pranati Mahapatra

Others

ଜେଜେମା,କୁନାର ବର୍ଷାଳାପ

ଜେଜେମା,କୁନାର ବର୍ଷାଳାପ

2 mins
13.6K


କଳା ଘୋଡା ଚଢି ବରବେଶ ସାଜି

ଆସିଛି ରେ ମେଘ ରାଜା,

ବାଣ ରୋଷଣୀର ଆଲୋକ ମାଳାରେ

ବଜାଇ ଆସୁଛି ବାଜା।

ପାଲଟଣା ଡ଼ଙ୍ଗା କରି ସଜବାଜ

ବସିଛନ୍ତି କୁନା କୁନି,

ଶୁଭ ସ୍ଵାଗତରେ କରି ଆବାହନ

ନାନା ବାସଫୁଲ ଘେନି।

ଜେଜେମା ଚମକେ ଦେଖି ମେଘ ରାଜା

ଜାଗେ ସ୍ମୃତି ପ୍ରଳୟର,

ଦେଇଥିଲା ସିନା କ୍ଷଣିକ ସପନ

ଉଜାଡି ଦେଲା ତା ସଂସାର।

ଏହି ବରଷାରେ ତା ଅମୂଲ ମଣି

ରଚିଲା ସ୍ଵପ୍ନ ଅପାର,

ଦିନରାତି ସବୁ ଏକ କରିଦେଇ

ଗଢିଲା ବୈକୁଣ୍ଠ ପୁର।

ଲୁହ ଲହୁ ଦେଇ ସ୍ଵପ୍ନ ପୁରା କଲା

ଜୀବନକୁ ତୁଛ ମଣି,

ଛାଡ଼ି ଚାଲିଗଲା ଅମର ଧାମକୁ,ସେ

କାହା ଚକ୍ରାନ୍ତ ନ ଜାଣି।

ଭୁଲିଗଲେ ସର୍ବେ ତା ମହତ ଦାନ

ଆଜି ବି ଜନନୀ ଝୁରେ,

ଏଇ ମେଘ ରାଜା ତା ଆଖି ଲୁହକୁ

ଧୋଇଦିଏ ତା ଜଳରେ।

ତଥାପି ବରଷା ସଭିଙ୍କ ଭରଷା

କୁନା ତ ବୁଝାଉଥାଏ,

ଦେଖ୍ ଜେଜେମା ଏଇ ମେଘ ରାଜା

ମୟୂରୀର ପ୍ରାଣ ଥାଏ।

କଳା ଘୋଡା ଚଢି ପାଲିଙ୍କିରେ ଆସି

ଦିଏ ଖୁସିର ସମ୍ପତ୍ତି,

ଉତପ୍ତ ଧରାକୁ ତା ଶୀତଳ ଜଳେ

ଦିଅଇ ଅପାର ଶାନ୍ତି।

କା ଛାତିରେ ନିଆଁ ଜାଳିଦିଏ ବୋଲି

ଦିଅନ୍ତି ଅଭିସଂପାତ,

(ହେଲେ)

ସଭିଁଙ୍କୁ ସୁଖର ନଉକାରେ ଧରି

ନିଜେ ଜଳେ ହୁତ ହୁତ।

କହ ଲୋ କୁନି ବରଷା କାଳଟା

କେତେ ଯେ ମଙ୍ଗଳକାରୀ,

ସଭିଙ୍କର ମୁଖେ ସୁଖ ଦେଇଥାଏ

ଢାଳି ଅମୃତର ବାରି।

ବରଷା ଆସିଲେ ଭେକ ପିକ ଆଉ

ଝିଙ୍କାରିର ମଧୁ ସ୍ଵର,

ସାଧବ ବୋହୂର ନାଲି ବଧୂବେଶ

ଦିଶେ କେଡେ ମନୋହର।

ଏନ୍ତୁଡି ନିଆଁରୁ ଜୁଇ ନିଆଁ ଯାଏ

ଥାଏ ତ ଯାର ଭୂମିକା,

ମଣିଷ ଭାଇ ତ ଭୁଲେ ତା ଦାନକୁ

ଭାବେ ଚଳିଯିବ ଏକା।

ଗାଁଆ କଥା ପୁଣି କହିଲେ ନ ସରେ

ମନେ ପଡେ ପିଲା ଦିନ,

ଗୋହିରୀ ବିଲରେ ଖଇଁଚି ବସାଇ

ଧରୁ ଛୋଟ ବଡ଼ ମୀନ।

ପଖିଆ ମୁଣ୍ଡେଇ ଆଣ୍ଠୁଏ ପାଣିରେ

ଧାଉଁ ଗାଁ ଇସୁକୁଲ,

ପଡିଆ ଘାସରୁ ତୋଳୁ ବାଲି ଛତୁ

ଦେଖୁ କୁନି ବେଙ୍ଗ ଖେଳ।

ନାନା ଜାତି ଶାଗ,ପନିପରିବା ଯେ

ବାଡିରେ ହୁଅଇ ଚାଷ,

ବାର ବ୍ରତ ତେର ଓଷା ବାର ମଧ୍ୟେ

ହୁଏ ବରଷାର ଶେଷ।

ରଜସ୍ଵଳା ପୁଣି ଶସ୍ୟେ ସୁଶୋଭିତ

ପୂର୍ଣ୍ଣଗର୍ଭା ମା କୋଳ,

ତାଳ ପିଠା ଆଉ ଚକୁଳି ପିଠାରେ

କଟିଯାଏ ପିଲା ବେଳ।

ନାନା ରକମର ଫୁଲର ଶୋଭାରେ

ପରିପୂର୍ଣ୍ଣ ଆମ ବାଡି,

ଟୋପା ଟୋପା ଜଳ ଚାଳର କଣାରୁ

କଂସାରେ ପଡ଼ଇ ଝଡି।

ଗରମ ଭାତକୁ ବିରି ଡାଲି ସାଥେ

ମାଛ ଚୁଡୁଚୁଡା ଖାଇ,

ମହା ଆନନ୍ଦରେ ସଦେଇ ଭାଇଟା

ବିଲେ ଯାଏ ଧାନ ରୋଇ।

ଜିଆ ଗୁନ୍ଥି ପୁଣି ବନିଶୀ କଣ୍ଟାରେ

କେତେ ମାଛ ଧରି ଆଣେ,

ଜାହାଲାରେ ଜେଇ ବନ୍ଧୁ ଘର ବାଣ୍ଟେ

କେତେ ଖୁସି ସିଏ କିଣେ।

ଦୁଃଖ ଥିଲେ ନିଶ୍ଚେ ସୁଖ ତ ଆସିବ

ରାତି ଥିଲେ ହେବ ଦିନ,

ସୂରୁଜ ଉଇଁଲେ ଚାନ୍ଦ ବି ହସିବ

ଦାଗ ଥିଲେ ତ ନିଶ୍ଚିହ୍ନ।

ଜୀବନ ରହିଲେ ଜଞ୍ଜାଳ ରହିବ

ସମସ୍ୟା ରହିବ କିଛି,

ସମାଧାନ ପାଇଁ ସଂଗ୍ରାମ କରିଲେ

ଅବଶ୍ୟ ପାରିବା ବଞ୍ଚି।

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର

୮୯୮୪୯୬୫୦୬୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍