STORYMIRROR

Rasmita Dixit

Others

3  

Rasmita Dixit

Others

ଜାତସ୍ୟ ହି ଧ୍ରୁବୋ ମୃତ୍ୟ

ଜାତସ୍ୟ ହି ଧ୍ରୁବୋ ମୃତ୍ୟ

1 min
398

ଅଦୃଷ୍ଟ ହସ୍ତର ଛକି ଶୁନ ଖେଳରେ

ଜୀବନ ଗତିକରେ

ଠିକ , ଭୁଲ

ପାପ , ପୁଣ୍ୟ ର

ଦିଗ୍ବଳୟ ତଳେ

ବେଳେବେଳେ ଗଡ଼ିଯାଏ

ଓଳି ତଳ ବରଷା ପାଣିର ଫୋଟକା ପରି

ଅବା ଖସରି ପଡେ

ସାରୁପତ୍ର ର ଜଳବିନ୍ଦୁ ପରି ।

ଜୀବନଟା ଗୋଟେ ଲମ୍ବା ନାଟକ

ଜନ୍ମଠୁ ମରଣ ଯାଏ

ଅଭିନୟ କରିବାକୁ ପଡେ

ଅଦୃଶ୍ୟ ନିୟତି ଇଙ୍ଗିତରେ ,

ଚରିତ୍ର ଚୟନ

ପଟ୍ଟ ପରିବର୍ତ୍ତନ

ଅଙ୍କ ନିର୍ଦ୍ଦେଶନା

ଅବିରତ ଚାଲିଥାଏ

ହସ, କାନ୍ଦ ର କୁଝ୍ହଟିକା ମଧ୍ୟରେ ।

କେତେବେଳେ କେମିତି

ସମୟର କାଚକେନ୍ଦୁ ପାଣିରେ ,

ତରଙ୍ଗ ଉଠେ ........

ବହୁତ କିଛି ପାଇବାକୁ ଯାଇ

ଅନେକ କିଛି ହରେଇ ଥାଉ ଆମେ

ଅନେକ ଅପ୍ରାପ୍ତି ସତ୍ତ୍ୱେ

ପ୍ରାପ୍ତିର ମୃଗତୃଷ୍ଣା

ପଶ୍ଚାତ ଧାବନ କରୁକରୁ

କେବେକେବେ ହାତକୁ ଆସେ

ଜୀବନର ଜାହରୀ ଅମୃତ

ନୀଳକଣ୍ଠ ପରି ସେଇ

ଗରଳ କୁ ପାନ କରି

ମଦମତ୍ତ ହସ୍ତୀ ସମ

ଆଜୀବନ ଝୁମିବାକୁ ହୁଏ

ସୁର ଆଉ ତାଳରେ ।

ଦୁଃଖ ର କଲମରେ

ସୁଖର କାଳି ଝରି ଆସେ

ଅସୁମାରି ଅଛିଣ୍ଡା ଗଣିତର

ସମାଧାନ ନେଇ

ତଥାପି ମନୁଷ୍ୟ ଅଭିନୟକୁ

ସତ୍ୟ ଭାବି ଭ୍ରମରେ ବଞ୍ଚୁଥାଏ ,

ବଞ୍ଚିବାର ବିଭୋର ନିଶାରେ

ନିଜକୁ ଆଉ ଜଗତକୁ ଭୁଲୁଥାଏ ।

ଜୀବନ ଟା କିଛି ନୁହେଁ ,ଅଳୀକ ମାତ୍ର

ବୈଚିତ୍ର୍ୟମୟ, ଘଟଣାପୂର୍ଣ୍ଣ

ତିକ୍ତ ,ମଧୁର ଅନୁଭୂତି ର

ପ୍ରୀତିପୂର୍ଣ୍ଣ ଏକ ଆଲପନା ,

ଜନ୍ମ ମାତ୍ରେ ମୃତ୍ୟୁ ସତ୍ୟ

ଜାଣି ମଧ୍ୟ ପ୍ରବଳ ଉଛ୍ୱାସରେ

ଜୀବନକୁ ଧରି ରଖିବାର

ପ୍ରୟାସ ଜାରି ରହିଥାଏ

ତେଣୁ କେହି କେହି କୁହନ୍ତି

ଜୀବନର ଅନ୍ୟ ନାମ

ମଧୁର ଯନ୍ତ୍ରଣା - - - - - ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍