ଜାଣିଥା' କୁନିଭାଇ
ଜାଣିଥା' କୁନିଭାଇ
ଶୀତ ସକାଳେ ଘରକୁ ଟିକେ
କଅଁଳ ଖରା ପଡିବ ବୋଲି
ସକାଳୁ ଉଠି ବିଛଣା ଛାଡି
ବସିଲା ସାନୁ ଝରକା ଖୋଲି
ଦେଖିଲା ସିଏ
ଟିପିଟିପିକା ଚଢେଇଟିଏ
ବସିଛି ଗଛ ଡାଳେ
ହାତ ଠାରି ସେ ଡାକିଲା ତାକୁ
ଆସିବ ପାଶେ କାଳେ ।।
ଆ' ରେ ଆ' ଟିକି ଚଢେଇ
ମୋ କତିକି ଆ' ରେ ଚାଲି
ତୋହରି ପାଇଁ ଦେବିରେ ଆଣି
ଖାଇବୁ ଭାତ ତିଅଣ ଡାଲି
ଡାଳରେ ବସି
ଟିକି ଚଢେଇ କହିଲା ହସି
ନାଇଁ ରେ ନାଇଁ ନାଇଁ
ଖାଇବା ଦକ ନାଇଁ ରେ ମୋର
ଜାଣିଥା' କୁନିଭାଇ ।।
ଆ' ରେ ଆ' ଟିକି ଚଢେଇ
ବସା ହେବ ତୋ ମୋହରି ଘର
ଖରା ବରଷା ବାଆ ବତାସେ
ତୋ ମନେ ଆଉ ନ ଥିବ ଡର
ଶୁଣି ଏ କଥା
ଟିକି ଚଢେଇ ହଲେଇ ମଥା
କହିଲା ନାଇଁ ନାଇଁ
ସାରା ଦୁନିଆ ମୋହରି ଘର
ଜାଣିଥା' କୁନିଭାଇ ।।
ଏତକ କହି ଡେଣାକୁ ଝାଡି
ଆକାଶେ ସିଏ ଉଡିଲା ଯାଇ
ଗଲା ଯେ କାହିଁ କେତେ ଦୂରକୁ
ଆଖିରେ ଆଉ ପଡିଲା ନାହିଁ
ମୁରୁକି ହସି
ଭାବିଲା ସାନୁ ସେଇଠି ବସି
ଟିକି ଚଢେଇଟିଏ
ଏଡ଼େ ସୁନ୍ଦର ଜୀବନ ଆହା
ପାଇଲା କାହୁଁ ଇଏ !!!