ଜାଗ୍ରତ ପ୍ରହରୀ
ଜାଗ୍ରତ ପ୍ରହରୀ
ଉଠ ଉଠ ତୁମେ ହେ ସୁପ୍ତ ମାନବ,ଜାଗିବାର ବେଳ ଆସିଛି
ଆଖିରେ ତୁମର ଅଗ୍ନିର ସ୍ଫୁଲିଙ୍ଗ, ଏ ଦେଶ ଦିନେ ଦେଖିଛି।
ଅନ୍ଧାରି ମୂଲକେ ଅରାଜକତାର ଡିଣ୍ଡିମ ପିଟାଚାଲିଛି
ସ୍ବାର୍ଥର ଦାନବ କରେ ଅଟ୍ଟହାସ୍ଯ,ଦେଶକୁ ହାତେ ଧରିଛି।
ଚାରିଆଡେ ଖାଲି ଆର୍ତ୍ତଚିତ୍କାର ଶୁଭୁଅଛି ପରା ଆଜି
କଣ୍ଠ ପଠାଇ କରେ ନିବେଦନ ଇଜ୍ଜତ ଯାଉଛି ହଜି।
ଜାଗ୍ରତ ହୁଅ ଏ ଦେଶ ପ୍ରହରୀ ହାତେ ଧରିଥା' ଅଶୀ
ଶତସିଂହର ବଳ ଦେଖି ତୁମ ରଣାଙ୍ଗନ ଉଠୁ ହସି।
ଓଡିଆ ପ୍ରାଣର ଆରାଧ୍ୟ ଦେବତା ପଡିଛି ବିପଦେ ପରା
କଳାପାହାଡ଼ର ରୂପନେଇ କେହି ଭାଙ୍ଗେ ରୋଷଘର ସାରା।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମେ ଏକାଠି ମିଳାଉ ହାତ
ସଭିଙ୍କ ଭିତରେ ଏକତାର ମନ୍ତ୍ର ଲେଖିଛି ଆମରି ରକ୍ତ।
ପାରିବୁନି ସହି କେହି ଯଦି କେବେ,କରେ ଶ୍ରୀମନ୍ଦିର ଅପମାନ,
ଭୁର୍ଭୁକ୍ଷ ଜନତା ପେଟର ଯନ୍ତ୍ରଣା ସହି କି ପାରିବୁ ଆମେ !
ଜାଗ୍ରତ ହୁଅ ଏ ଦେଶ ପ୍ରହରୀ ହାତେ ଧରିଥା' ଅଶୀ
ଶତସିଂହର ବଳ ତୁମ ଦେଖି ରଣାଙ୍ଗନ ଉଠୁ ହସି।
ଆମରି ଗର୍ବ ଖର୍ବ କରିବା ନାହିଁତ କହାରି ଶକ୍ତି
ଭାରତ ମାଟିର ସନ୍ତାନ ଆମେ ରକ୍ତେଲେଖା ଦେଶଭକ୍ତି।
ଉଠଉଠ ତୁମେ ହେ ଯୁବଶକ୍ତି ଆଗାମୀ କାଲିର ଭବିଷ୍ଯ
ଲେଖିଦିଅ ତୁମେ ନୂଆ ଇତିହାସ ସଭିଙ୍କର ହେବ ନମସ୍ଯ।
ଖୋରଧା ଗଡର ହଜିଲା ପାଇକ ପୁଣି ଉଠିବକି ତେଜି
ରକ୍ତରଞ୍ଜିତ ହୋଇବ କି ଦୟା ଧର୍ମାଶୋକକୁ ହେଜି।
ଅନ୍ଯାୟର ତୁମେ କର ପଥରୋଧ ପାହିଲାଣି ପରା ରାତି
ବିଜୟ ଦୁର୍ନ୍ଦୁଭି ବାଜି ଉଠିଲେତ ଫୁଲି ଉଠିବତ ଛାତି।
