ଜାଗରିତ ମୋ କାବ୍ୟପୁରୁଷ
ଜାଗରିତ ମୋ କାବ୍ୟପୁରୁଷ
ଲେଖିଚି ମୁଁ ଏମାଟିର କଥା,
ଯେଉଁମାନେ ସହିଚନ୍ତି
ଜୀବନରେ ଅସୁମାରୀ ବ୍ୟଥା।
ଯେଉଁମାନେ ଦେଇଛନ୍ତି ପ୍ରାଣ
ସଗୌରବେ ରଖିଛନ୍ତି
ଏ ମାଟିର ଟାଣ।
ସେଇଯୁଗଜନ୍ମାଙ୍କର ଜୀବନ ବିନ୍ୟାସ
ଆଉ ଆତ୍ମ ବଳିଦାନ
ଲେଖନୀ ମୋ ଦେଇଅଛି ରୂପ
କଳାର ଚାତୁରୀଭରି
କରିଅଛି ତାଙ୍କ ଗୁଣଗାନ ।
ଯଦିଓ ସେ ମହାନୁଭବଙ୍କ
ଗୁଣ ଗାନପାଇଁ
ମୋପାଖରେ ଉପଯୁକ୍ତ
ସାମର୍ଥ୍ୟହିଁ ନାହିଁ
ତଥାପି ମୁଁ ପ୍ରାଣପ୍ରଣେ
କରିଅଛି ଚେଷ୍ଟା,
ହୃଦେରଖି ଧୈର୍ଯ୍ୟ ଆଉ
ମନେରଖି ଐକାନ୍ତିକ ନିଷ୍ଠା ।
ଥକିନାହିଁ ମୋ କାବ୍ୟ ପୁରୁଷ
ଅନ୍ବେଷଣେ ରତସିଏ
ପ୍ରକାଶିବ ନୂତନ ସନ୍ଦେଶ
ପୃଥିବୀ ପ୍ରକୃତି ଜଳ
ସ୍ଥଳ ଓ ଆକାଶ
ଜୀବନ ଜ୍ୟାମିତି ପରିମିତି ଇତିହାସ
ସବୁଠିଁ ତା ଦୃଷ୍ଟିଅଛି
ଦୃଷ୍ଟିଅଛି ଅଂତର ବାହାର
ଦୃଷ୍ଟିଅଛି ଖରା ଛାଇ
ଆଉପୁଣି ଆଲୋକ ଅନ୍ଧାର
ଖୋଲିବାକୁ ଏସୃଷ୍ଟିର
ସମସ୍ତ ରହସ୍ୟ
ଜାଗରିତ ମୋ କାବ୍ୟ ପୁରୁଷ ।
କୈଳାସ ଚନ୍ଦ୍ର ପାଢୀ।କୁମାରପୁର।
