ଜାଗ ମାଆ ସନ୍ତୋଷୀ
ଜାଗ ମାଆ ସନ୍ତୋଷୀ
ଆଶା ନଦୀ ତୀରେ ଭାବର ମନ୍ଦିରେ
ଜାଗ ମା, ଭବାନୀ ଜାଗ,
କେତେ ଆଉ ଲୁହ ପଖଳା ସାଗରେ
ଦେଖିବ ମୋର ଅଭାଗ୍ୟ ।
ମୋ' ମନ ତୀରରେ ଅମା ଅନ୍ଧକାର
କେତେ ଢେଉ ଆସି ଫେରେ,
ହୃଦ ବେଳାଭୂମି ଶ୍ରୀ ପଦ ପୟର
ଖୋଜୁଅଛି ବିକଳରେ ।
ଅମାନିଆ ଝଡ଼ ନୀଡ଼ ଭାଙ୍ଗି ଦେଇ
ଉଡାଇ ପ୍ରଖର ସ୍ରୋତେ,
ଲୁହଝରି ଯାଏ ଭିଜା ପଣତଟି
ଲୋଟୁ ଅଛି ତୋର ପାଦେ ।
ଜନ୍ମ ଦେଇ ମାଆ କଷଣ ଭୂଷଣ
କେତେଲୋ ପରୀକ୍ଷା ତୋର,
ହୀନିମାନ ମୋର ତୋର ଆଭୂଷଣ
ବେଳ ଗଡିଯାଏ ମୋର ।
ମାଆ ହୋଇ ତୁହି କେମିତି ସହୁଛୁ
ତୋ ପିଲାର ଅନୁଭବ,
ଲୁହେ ଅଭିଷେକ ହୃଦ ଜ୍ୱଳନ କୁ
ଯଜ୍ଞ ଆହୁତି ମୋ ଭାବ ।
ଗଙ୍ଗାତୀରେ ମୋର ଶୋଷ ନ ମେଣ୍ଟିଲେ
ଭାଗ୍ୟତ ବଇରୀ ମୋର,
ଭାଗ୍ୟଦାତ୍ରୀ ତୁହି ନିରିମାଖି ପଣେ
ଅବୁଝା ମୋ ଲୁହଧାର ।
ମୋର ମନକଥା ଜାଣୁ ବୋଲି ସ୍ୱୟଂ
ଆଜିମୁଁ ଝୁରଇ ତୋତେ,
ଝିଅ ଅପରାଧି ମାଆ କ୍ଷମାମୟୀ
ମମତା ଝରେ ପଣତେ ।
ଯନ୍ତ୍ରଣା ଜହର ସମ୍ପର୍କ ଘାଟର
ଅପ୍ରମିତ ଦୁଃଖସାର,
ମୋହ ତିମିରର ନିରାଶା ଅନ୍ଧାର
ଭରସା ମାଆଲୋ ମୋର ।
ଜାଗି ଉଠ ମାଆ ପାହିଯାଉ ରାତି
ଅମା ଅନ୍ଧକାର ତେଜି,
ଦର୍ଶନେ ପରାଣ ଲଭୁ ମା, ପ୍ରଶାନ୍ତି
ଶାନ୍ତିର ସୁବାର୍ତ୍ତା ସାଜି ।
ତୋଠାରୁ କେ ବଡ଼ ମାଗିବି ଲୋ ତୋତେ
କହି ଦେ ଲୋ ଥରେ ମୋତେ,
ମାଗିଲିନି ବୋଲି ଅସୁମାରୀ ଦୁଃଖେ
ପରୀକ୍ଷା କରୁଛୁ କେତେ ।
ଜୀବନ ବେଳା ରେ ସଞ୍ଜ ହୋଇଲାଣି
ଆଉ ବା କେତେ ମୋ ଦିନ,
ରାତି ପରେ ସୂର୍ଯ୍ୟ ଉଇଁଲେ ମା, ରାଣୀ
ବିଦାୟ ବେଳାର ଲଗ୍ନ ।
କାନ୍ଦେ ଆଜି ଧିରେ ଆଖି ଲୁହ ଧାରେ
ଝୁରୁଛି ମୋର ପରାଣ,
କାଲି କାନ୍ଦିବୁ ମୋ ବିଦାୟ ବେଳାରେ
ଆତ୍ମା ମୋ ହେବ ଦହନ ।
ତୋ ଭଲ ପାଇବା ମମତା ହେଉ ବା
ହୃଦୟେ ହୋଇଛି ଗାର,
ନିରବତା ତୋର ସହିବା ଅଧିର
ଭାଙ୍ଗେ ହୃଦୟ ମୋହର ।
ବିକଳତା ମୋର ହୃଦୟକୁ ତୋର
ଶୁଭୁନାହିଁ ଲୋ କିମ୍ପାଇ,
ହୋଇଲୁ ପଥର ଉଣା ଭାବ ମୋର
ଜୀବନ ତୁଚ୍ଛ ଲାଗଇ ।
ଉଠାଇ ଦେ ମାଆ ଚେତନା ର ଦ୍ୱାରେ
ସ୍ନେହର ପରଷ ଭରି,
ମନ କଦମ୍ବରେ ତୋ ନାମ ଅଧିରେ
ଜପୁଥିବି ମୁଁ ସୁମରି ।
ସନ୍ତୋଷ ଦାୟିନୀ ମାଆଲୋ ସନ୍ତୋଷୀ
ମୋ ଜୀବ ଜୀବନ ତୁହି,
ଏ ସଂସାରେ ତୁହି କେତେ ଦୟା ବହି
ଦୁଃଖ ଲିଭାଉ ଜନନୀ ।
ସଂସାର ସାଗରେ ହେଲାଣି ଅଧିରେ
ଜାଗଲୋ ଭବାନୀ ଜାଗ,
ନିରାଶ୍ରୟା ମା, ଲୋ ଡାକୁଛି ଅନ୍ତରେ
ଅମୃତ ଭରି ଦିଅଗୋ ।
