ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ବରଷା ଆସିଲା ଖରା ହୋଇଛି
ଟୁପୁରୁ ଟୁପୁରୁ ବରଷୁ ଅଛି
ନୀଳ ଗଗନକୁ ଦେଖ
ସାତଟି ରଙ୍ଗର ଧନୁଟିଏ ଅଛି
ଭଲରେ ଟିକେ ନିରେଖ ।
କେଡେ ଶୋଭାବନ ଧନୁଟି ଦିଶେ
ଇନ୍ଦ୍ରଧନୁ ନାମ ପାଇଅଛି ସେ
ସୂର୍ଯ୍ୟଙ୍କର ବିପରୀତ
ଦିଗରେ ରହିଛି ଇନ୍ଦ୍ରଧନୁ
ଦେଖି ସରବେ ହେଲେ ଉଷତ ।
ସାତଟି ରଙ୍ଗରେ ହୋଇ ରଙ୍ଗେଇ
କେଡେ ମନଲୋଭା ରୂପ ଦିଶଇ
ବାଇଗଣୀ ଘନ ନୀଳ
ନୀଳ ସବୁଜ ହଳଦିଆ ନାରଙ୍ଗୀ
ଲାଲ ସାତରଙ୍ଗ ତାର ।
ଇନ୍ଦ୍ରଧନୁ ଦିଗବଳୟେ ଦିଶେ
ପିଲାଏ ଦେଖି ନାଚନ୍ତି ହରଷେ
ପଡିଅଛି ଇନ୍ଦ୍ରଧନୁ
ଦେଖି ଆସ ଥରେ ଦେଖିଲେ
ତା ଶୋଭା ପାଶୋର ନ ଯିବ ମନୁଁ ।
ଥରେ ଦେଖିଲେ ଆଉଥରଟିଏ
ଦେଖିବାକୁ ମନ ମୟୂରୀ ଧାଏଁ
ଇନ୍ଦ୍ରଧନୁକୁ ଦେଖିବ
କଳାମେଘ ଦେଖି ମୟୂର ନର୍ତ୍ତନ
ମନ ମୟୂରୀ କରିବ ।
ବାଦଲ ଘୋଟି ଆସଇ ଯେ କାଳେ
ସୂର୍ଯ୍ୟ ରହନ୍ତି ମେଘ ଆଢୁଆଳେ
ଇନ୍ଦ୍ରଧନୁ ଲୁଚିଯାଏ
ଇନ୍ଦ୍ରଧନୁ ସ୍ମୃତି ମନ ଉପବନେ
ସଦାବେଳେ ରହିଥାଏ ।
ପ୍ରକୃତି ରାଣୀର ଏ ଉପହାର
ଆଖିକୁ ଦିଶଇ କେଡେ ସୁନ୍ଦର
କିଏ ବା ତାକୁ ଧରିବ
ଇନ୍ଦ୍ରଧନୁ ଧରି କିଏ ସେ ଧନୁରେ
ଅବା ଚାପ ଚଢାଇବ ।
ପିଲା ବୁଢା ଦେଖି ହେଲେ ଆନନ୍ଦ
ଈଶ୍ବରଙ୍କର ଏ ସୃଷ୍ଟି ସମ୍ପଦ
ସବୁବେଳେ ନ ଦିଶଇ
ଦିଶେ ଯେତେବେଳେ ସେ ତ ସଭିଙ୍କର
ମନକୁ ନିଅଇ ମୋହି ।
ଏ ସୁନ୍ଦର ଧନୁ ଗଢିଛି ଯିଏ
କହ ତାକୁ ଅବା ଦେଖିଛି କିଏ
ଧନ୍ୟ ତାହାର କରଣି
ମଥା ନତ ହୁଏ ପାଦ ତଳେ ତାର
ସିଏ ହିଁ ପ୍ରକୃତି ରାଣୀ ।
