ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ସପତ ରଙ୍ଗରେ ରଙ୍ଗାୟିତ ହୋଇ
ଆକାଶରେ ଇନ୍ଦ୍ରଧନୁ
ବରଷା କାଳରେ ସୂର୍ଯ୍ୟ ସମ୍ମୁଖରେ
ରହି ନ ଲିଭଇ ମନୁ ।
ସପତ ରଙ୍ଗର ବର୍ଣ୍ଣାଳୀ ସତେ କି
ଆଙ୍କିଛି କେ ଆକାଶରେ
ଇନ୍ଦ୍ରଧନୁ ରଙ୍ଗ ଦେଖିଦେଲେ ଥରେ
ତନୁ ମନ ଆମ ହରେ ।
ବାଇଗଣୀ ଘନନୀଳ ନୀଳ ସବୁଜ
ହଳଦିଆ ନାରଙ୍ଗୀ
ଲାଲ ଏଇ ସାତ ରଙ୍ଗରେ ରଞ୍ଜିତ
ଇନ୍ଦ୍ରଧନୁ ସପ୍ତରଙ୍ଗୀ ।
ଇନ୍ଦ୍ରଙ୍କୁ ଦେଖିବା ସହଜ ନୁହଇ
ଧନୁକୁ ଦେଖି ତାଙ୍କର
ପୁଲକିତ ହୁଏ ସଭିଙ୍କର ମନ
ଦିଶଇ କେଡେ ସୁନ୍ଦର ।
ମନରୁ ନ ଲିଭେ ଇନ୍ଦ୍ରଧନୁ ଶୋଭା
ପିଲା ଠାରୁ ବୁଢା ଯାଏଁ
ଇନ୍ଦ୍ରଧନୁଟିକି ଦେଖିବା ପାଇଁକି
ସର୍ବଦା ମନ ବଳାଏ ।
ସୃଷ୍ଟି କରତାଙ୍କ ସୁନ୍ଦର ସୃଜନୀ
ଆପେ ମନକୁ ଆସଇ
ଇନ୍ଦ୍ରଧନୁ ଦେଖି କବିତା ରଚିବ
କବି ମନ ହାଇଁ ପାଇଁ ।
ପ୍ରେମୀ ପ୍ରେମାସ୍ପଦ ଦେଖି ଇନ୍ଦ୍ରଧନୁ
ମନେ ଜାଗେ ଉନ୍ମାଦନା
ଆକାଶରେ ରହେ କିଛି ସମୟ ସେ
କେବେହେଁ ଭୁଲି ହୁଏନା ।
ଧନ୍ୟ ଧନ୍ୟ ତୁମେ ଜଗତ କରତା
ଧନ୍ୟ ତୁମର କରଣି
କି ବିଚିତ୍ର ଚିତ୍ରେ ଗଢିଛ ଏହାକୁ
ଜମାରୁ ଭୁଲି ହୁଏନି ।
