ଈଶ୍ଵରୀ
ଈଶ୍ଵରୀ
ବେଳେବେଳେ ଅକାରଣେ ଗାଳିଦିଏ କେହିଜଣେ !
ମିଠା ରାଗ ରୁଷାର ମୁହୂର୍ତ୍ତକୁ କାନିରେ ବାନ୍ଧି ,
ବଜାର ଯାଏ , କିଛି ମିଠେଇ ଆଣେ ,
ବ୍ୟାଗ୍ ଟି ହାତରୁ ଟାଣିନେଲା ବେଳେ ଦରୁଟି ହସରେ
ଆଉଜି ଆସେ ମୋ ଛାତିରେ ପୁଣି ବେଣି ଟିକୁ ନ ଟାଣିବା ଯାଏ !
କଡ଼ା ନାଲି ଆଖିର ତାଡ଼ନାରେ ଆୟୁଷଟା ଫିକା ଦିଶେ !
କେବେ ନିଷ୍କପଟ ଗାଳିରେ ତ ,
ପୁଣି କେବେ ରାଗ ତମେ ଖାଇ ପିଠିରେ ପାହାରେ !
କେବେ ମୋ ଝାଳ ବୁହା ମୁହଁକୁ ଠା କୁ ଠା ଚାହିଁ ,
ଶୋଇଥାଆନ୍ତି ଯିଏ ମଶିଣାରେ ,
ଘର ଆଗ ସେ କୋଠରୀରେ ।
କାହା ଫୋନ୍ ର ଆଦେଶରେ ଫିଙ୍ଗା ହୁଏ ପୁରୁଣା ଚିଠି !
ବୁଲିବାକୁ ଯିବାପାଇଁ ରାଜି ହୁଏ ମୁଁ ଯାହା ମିଠା ଆଦେଶରେ ,
ଗାଡି ପଛରେ ବସି ବେକରେ ହାତ ଛନ୍ଦି ଦିଏ ,
କେବେ ବେଞ୍ଚ ପାଖରେ ବସି ଦୂରେଇ ଯାଅ ବୋଲି ମିଛେ କୁହେ ।
ଏତେ କାର୍ଯ୍ୟ ଚାପରେ ବି ସ୍ଥିର ରହେ ଯାହା ପ୍ରେମରେ !
ସବୁ କାମ ସାରି ଘର ବାହୁଡ଼ା ହୁଏ ଯେବେ -
"ଆସିଲୁ କେତେବେଳେ" ର ଡାକ ଯାହାର ମୋତେ ପ୍ରକୃତିସ୍ଥ କରେ ,
ତାକୁ ତ ମୁଁ ବହୁତ ଭଲ ପାଏ ,
କ୍ଳାନ୍ତି ସେ ଭୁଲିଯାଏ ଦେଖିଦେଲେ ହସଟିଏ ମୋ ମୁହଁରେ !
ସ୍ଵେଦ ଭିଜା ମୁହଁକୁ ତା'ର ହାତରେ ପୋଛି ,
ପବିତ୍ର କାନିଟିରେ ମୋ ମୁହଁ ପୋଛି କୁହେ ,
ଭଲ ହେଲା ବାପା ଫେରିଆସିଲୁ ,
ଖାଇଥିଲୁ ନା କିଛି ଟିକେ ବଜାରରେ ?
ସେତେବେଳେ ଇଚ୍ଛା ହୁଏ ସବୁକିଛି କୁ ଭୁଲି ,
ଶୋଇପଡନ୍ତି ଅନନ୍ତ କାଳ ଯାଏ ମୁଣ୍ଡ ରଖି ତା କୋଳରେ !
