ଈଶ୍ବର
ଈଶ୍ବର
ଈଶ୍ବର ତୁମେ ବିଶ୍ବରେ ଅଛ
କେଉଁଠି କୁହ ?
ଅସରା ଗପର ପସରା ବୋହି ମୋ
ଆଖିରେ ଲୁହ !
କେଉଁ ଦୂର ଦେଶ ତମାଳ କୁଞ୍ଜରେ ତୁମରି ଛାଇ ...
ତୁମରି ସୋହାଗ ସେନେହ ପାଇଁ ମୁଁ
ହୋଇଛି ବାଇ ।
ଈଶ୍ବର ତୁମେ କାଠ ପାଷାଣରେ
ହେଲକି ବନ୍ଦୀ !
ମୋ କରମ ଘେନି ଚାଲୁଚି ନୀରବେ
କପାଳ ନିନ୍ଦି ।
ଦୂର ଦେବାଳୟେ ତୁମରି ବନ୍ଦନା ପ୍ରାର୍ଥନା ସ୍ବର...
ମୁଁ ଏଠି ଗଢିଚି ବାଲିରଥ ଟିଏ
ଅନ୍ତରେ ମୋର ।
ଈଶ୍ବର ତୁମେ ଅଥଳ ସାଗରେ
ନୀଳ ଗଗନେ ,
କେଉଁ ବନସ୍ପତି ବିହଙ୍ଗ କାଳଳି
ମଧୁ ଲଗନେ ।
ଅମନ୍ଦଗାମିନୀ ସ୍ରୋତସ୍ବନୀ ସ୍ବର ହୁଏ ମୁଖର...
ତୁମେତ ହୃଦୟ କୋଣରେ କେଉଁଠି
ଅବିନଶ୍ବର !
ଈଶ୍ବର ଆଜି ଉଠିଚ କି ରାଜି
ଚପଳ ଛନ୍ଦେ
ଭୋକିଲା ଆଖିର ଅବାରିତ ଲୁହ
ହୃଦୟେ କନ୍ଦେ ।
ଦୀନ ଦୁଃଖୀର ଯେ ଦୀନବାନ୍ଧବ ହୋଇଛ ଭବେ....
ମୁକୁଳା ପଡିଚି ହୃଦୟ ତଳ ମୋ
ସଂସାର ରବେ ।
ଈଶ୍ବର ତୁମେ ରାମ ନା ରହିମ୍
କରୁଣାମୟ
ଈଶ୍ବର ତୁମେ ଗୀତା ବାଇବେଲ
ଅତୁଳନୀୟ !
ତୁମେ ଏକ ଆଉ ଅଭିନ୍ନ ସଂସାରେ ଜାଣୁଚି କିଏ ...
ଆପଣା ଭିତରେ ଆପେ ମରେ ନିତି
ଅବୁଝା ଟିଏ ।
ଈଶ୍ବର ତୁମ ସୃଷ୍ଟି ଯେ ଅପାର
ରହସ୍ୟ ତୁମେ
ତୁମେ ତ ଅରୂପ ବିଶ୍ବ ବନ୍ଦିତ
ବିଶ୍ବାସ ଭୂମେ ।
ତୁମରି ଚରଣ ବନ୍ଦନା କରେ ସକାଳ ସଞ୍ଜେ...
ପିତା ମାତା ରୂପେ ତୁମେତ ଆସିଛ
ପରାଣ କୁଞ୍ଜେ !!
