ଈଶ୍ୱରଙ୍କୁ ଚିଠି
ଈଶ୍ୱରଙ୍କୁ ଚିଠି
ଈଶ୍ୱର ହେ…………..
ମରତ ଭୁଇଁରୁ ପତର ଦେଉଛି ଶୁଣ ହୋଇ ସାବଧାନ
କାହିଁକି ବୈକୁଣ୍ଠ ଭୁବନେ ବସିଛ ମାଡି ରତ୍ନ ସିଂହାସନ
ଲକ୍ଷ୍ମୀଙ୍କ ରାନ୍ଧଣା ସରସ୍ଵତୀ ବୀଣା ଦେବତାଙ୍କ ଉପଚାର
କାହିଁକି ବିଳାସମୟ ଭୁବନରେ ଭୋଗ ବିଳାସ ଅପାର
ଖଞ୍ଜା ତୁମର, ଈଶ୍ଵର ହେ……………।।
ହଜିଯାଏ କେତେ ଜୀବନ ଅକାଳେ କାନ୍ଦୁଛି ମର୍ତ୍ତ୍ୟ ବିକଳେ
ନୀରବ ବଂଶୀ ରେ ବାଜି ଉଠୁଅଛି ଅତ୍ୟାହିତ* ସ୍ଵର ରୋଳେ
କି ଦେଖୁଛ ବସି ନୀରବେ ଦେବତା ତେବେ କେଉଁ “ଅଧିକାର
ବଳେ” ବସିଥିବ କାହିଁକି ବୈକୁଣ୍ଠେ ନକରି ୟା ପ୍ରତିକାର
କିବା ବିଚାର, ଈଶ୍ଵର ହେ……………।।
ଜଳୁଅଛି ଜୁଇ ଅହରହ ଗତି ଅଗଣନ ଅବିରାମ
କେତେ ସମାଦରେ ବୈକୁଣ୍ଠ ପୁରରେ ବସିଅଛ ଭଗବାନ
ମର୍ତ୍ତ୍ୟ ପୁରେ ଦୈତ୍ୟ ତାଙ୍କର ରାଜତ୍ଵ କଲେଣି ଆସି ବିସ୍ତାର
ଅନ୍ତରୀକ୍ଷ ଠାରୁ ଭୁଲୋକ ପର୍ଯ୍ୟନ୍ତ ମିଳୁନାହିଁ ହେ ନିସ୍ତାର
ହେଲ ନୀଥର, ଈଶ୍ଵର ହେ……………।।
ବୈକୁଣ୍ଠାଧିପତି ପତର ମାଧ୍ୟମେ କରିଦେଲି ସାବଧାନ
ପ୍ରତିକାର ୟାର ନକରିବ ଯଦି ଛାଡ ବୈକୁଣ୍ଠ ଆସନ
ଏଡେବଡ ପଣ ଲଭିଛ ଗୋସାଇଁ ଦୁଷ୍ଟଙ୍କୁ ଦଳନ କର
ନରଖିଲେ ରସା ରସାତଳେ ଗଲା “ଇତି” ମୁଁ ଦାସ ତୁମର
ହେ ସାହୁକାର, ଈଶ୍ୱର ହେ…………..।
(* ଅତ୍ୟାହିତ-ଅମଙ୍ଗଳ)