ହୁଅନ୍ତି କି ଦିନେ ଅଦୃଶ୍ୟ
ହୁଅନ୍ତି କି ଦିନେ ଅଦୃଶ୍ୟ
ଥରେ ଥରେ
ଖୋଲା ଆଖିରେ ମୁଁ ସ୍ୱପ୍ନ ଦେଖେ
ହୁଅନ୍ତି କି ଦିନେ ଅଦୃଶ୍ୟ
ସବୁ କରିଥାନ୍ତି ଓଲଟ ପାଲଟ
ହସକୁ କାନ୍ଦ
କାନ୍ଦକୁ ହସ
ଧରିଥାନ୍ତି ଦୀନ ଅଙ୍ଗୁଳି
କଂସାଏ ପଖାଳେ ଦିନ ସରିଯାଏ
ଅଭାବରେ ପୂର୍ଣ୍ଣ ଯା ଥାଳି
ତାଆରି ପରାଣେ ଭରୁଥାନ୍ତି ଭାବ
କରି ତା ଜୀବନ ସରସ
ଥରେ ଥରେ...
ଆପଣାର ପାଶେ ଅପରିଚିତ ମୁଁ
ଖୁବ୍ ଅଜଣା
ଖୁବ୍ ଅଚିହ୍ନା
ଯା ଲାଗି ପୁଣି ମୁଁ ଅଲୋଡ଼ା
ମରମ ଯା ହିତେ ଦହୁଥିବ ସଦା
ଦହୁଥିବ ଦେହ ପିଞ୍ଜରା
ତାଆରି ସାନ୍ନିଧ୍ୟେ ନିତି ବସିଥାନ୍ତି
ପିଇ ତା ଅଧର ପିୟୁଷ
ଥରେ ଥରେ...
ଅନେକ ମୁଖରେ ଗୋଟିଏ କଥା ସେ
ମୁଁ ଟା ନାସ୍ତିକ
ମୁଁ ଅକୃତଜ୍ଞ
ଖୋଜେ ନାହିଁ ଦେବୀ ଦେବତା
ସତ କରିବାକୁ ତାଙ୍କ ଶବ୍ଦାବଳୀ
ସତରେ ଭୁଲିଛି ମୋ ଅସ୍ମିତା
ସହଜ ହୁଅନ୍ତା ହେଲେ ନିରାକାର
ଲଭିଥାନ୍ତି ପଦ ପରଶ
ଥରେ ଥରେ...
ଟି. ଦୁର୍ଗା ପ୍ରସାଦ ରାଓ
