ହଟିଆ ନାଗର
ହଟିଆ ନାଗର
ଷାଠିଏ ପଉଟି ନିଇତି ଭୁଂଜୁଛ
ମୋ ପାଇଁ ଟଂକ ତୋରାଣୀ,
ଗୋଟିଏ ଢୋକରେ ମୋ ପେଟ ପୂରଇ
ପିଉଛି ଅମୃତ ମଣି ॥
ଆନନ୍ଦ ବଜାରେ ବୁଲି ମୁଁ ମଜାରେ
ସାଉଁଟି ମୁଖ ଉଚିଷ୍ଟ,
ଭାଗ୍ୟେ ଦୋଷ ଦେଇ କର୍ମକୁ ଆଦରି
ଉଦର କରେ ସନ୍ତୁଷ୍ଟ ॥
ଅଚଳ ମୁଦ୍ରା ମୋ ସପନ ହେଉଛି
ଦିନ ସରେ ନାହିଁ ମୋର,
ଭକତକୁ କିବା ପରଖୁଛୁ ତୁହି
ଦେଇ ଗରୀବ ପ୍ରହାର ॥
ସରପୁଳି ଖାଇ ଚିକ୍କଣ ସାଜିଛୁ
କିବା କରିଥିଲି ଦୋଷ,
ତୋ ପାଇଁ କି ସତେ ଉଦିଆ ରଜନୀ
ମୋ ପାଇଁ ଖାଲି ଉଆଁସ ॥
ଆଜନ୍ମ ଭିକାରୀ ଭାଗ୍ୟ କି ମୋହର
ତୋର ଦିବ୍ୟ ପଂଜିକାରେ,
ଫଟା ଥାଳିଆରେ ଦିନ ମୋ ନ ସରେ
ତୋର ସିଂହ ଦୁଆରରେ ॥
ବଡଦାଣ୍ତ ଧୂଳି ତୋ ଦେହର ମଳି
ଭାବୁଛି ମନ ମନ୍ଦିରେ,
ନିଇତି ଗଡି ମୁଁ ଦେହରେ ବୋଳଇ
ଚନ୍ଦନ ଭାବି ହୃଦରେ ॥
ତୋର ନାମ ଧରି ହୋଇଯିବି ପାରି
ଉଦର ଜ୍ୱାଳାକୁ ଭୁଲି,
ତୁଉ ମୋ ଗୋବିନ୍ଦ ତୁଉ ମନ ଚାନ୍ଦ
ତୁଉ ମୋର ବନମାଳୀ ॥
ତୋର କଳା ମୁଖ ପାଥେୟ କରି ମୁଁ
ରଜନୀକୁ କରି ଦିନ,
ଶିରାଳ ବାହୁରେ ତାଳି ମାରି ମାରି
କରୁଥିବି ସଂକୀର୍ତ୍ତନ ॥
ଗରୁଡ ଖମ୍ବକୁ ବାହୁ ବନ୍ଧନରେ
କଂକାଳ ପରଶ ଦେଇ,
ତୋ ଦିବ୍ୟ ପରଶ ଅନୁଭବ କରି
ଯିବି ବଇକୁଣ୍ଠ ଭୂଇଁ ॥
