ହସରେ ରହସ୍ୟ
ହସରେ ରହସ୍ୟ
ତ୍ରେତୟା ଯୁଗରେ ରାମ ଅବତାରେ
ପିତୃସତ୍ୟ ରକ୍ଷା ପାଇଁ,
ବଣରେ ରହିଲେ ଚଉଦ ବରଷ
ପତ୍ନୀ ଭ୍ରାତା ସଙ୍ଗେ ନେଇ ।
ପତ୍ନୀ ଗଲେ ସଙ୍ଗେ ପତି ସେବାପାଇଁ
ଭ୍ରାତା ହୋଇ ସେବାକାରି ,
ଭାଇ ଭାଉଜ ଙ୍କ ସେବା କରୁଥିଲେ
ତ୍ୟାଗି ନିଦ୍ରା ଅନ୍ନ ବାରି ।
ନନ୍ଦିଗ୍ରାମେ ରହି ଅନୁଜ ଭରତ
ପାଦୁକା ପୃଜା କରିଲେ,
ଅନୁଜ ଶତୃଘ୍ନ ଭରତ ନିର୍ଦ୍ଦେଶେ
ରାଜ୍ୟଭାର ସମ୍ଭାଳିଲେ ।
ମାଣ୍ଡବୀ ଉର୍ମିଳା ଶୃତିକୀର୍ତ୍ତି ବଧୂ
ଶାଶୁଙ୍କ ସେବା କରିଲେ,
ସର୍ବଦା ଜାଗ୍ରତ ଉର୍ମିଳା ସୁନ୍ଦରୀ
ଦୀପଟିଏ ଜାଳୁଥିଲେ ।
ଲଙ୍କା ଯୁଦ୍ଧ ବେଳେ ଇନ୍ଦ୍ରଜିତ ବାଣେ
ଲକ୍ଷ୍ମଣ ମୂର୍ଚ୍ଛିତ ହୋଇ,
ଲୋଟି ପଡିଥିଲେ ଶ୍ରୀ ରାମ କୋଳରେ
ଶକ୍ତିଭେଦ ବାଣ ପାଇ ।
ହନୁମାନ ଗଲେ ସଞ୍ଜିବନୀ ପାଇଁ
ଆଣିଲେ ପାହାଡ଼ ତୋଳି
ଭରତ କ୍ଷେପିଲେ ବାଟୁଳି ଗୋଳାଟେ
ଭାବିକି ରାକ୍ଷସ ବୋଲି।
ମାରୁତି ପତିତ ଆକାଶ ମାର୍ଗରୁ
ରାମ ରାମ ମୁଖେ ଧରି,
ଭରତ ସହିତ ପୁରା ପରିବାର
ଅନୁତାପେ ହେଲେ ଘାରି ।
ବଦନ୍ତି ସେଠାରେ ସମସ୍ତ ବୃତ୍ତାନ୍ତ
ଲକ୍ଷ୍ମଣ ମୂର୍ଚ୍ଛିତ କଥା,
ସାରା ପରିବାର ରୋଦନ କରିଲେ
ମନେ ଅସରନ୍ତି ବ୍ୟଥା ।
କ୍ରନ୍ଦନ କରନ୍ତି ପରିବାର ବର୍ଗ
ଉର୍ମିଳା ଙ୍କ ମୁଖେ ହସ,
ଜିଜ୍ଞାସା କରିଲେ ପବନ ନନ୍ଦନ
ଉର୍ମିଳା ଙ୍କୁ ଏ ରହସ୍ୟ ।
ଉର୍ମିଳା କୁହନ୍ତି ପତି ଶୋଇଛନ୍ତି
ପ୍ରଭୁ ଶ୍ରୀରାମଙ୍କ କୋଳେ,
ଜୀବ ଶୂନ୍ୟ କେବେ ହୋଇବେନି ସିଏ
ଯେଯାଏଁ ଏ ଦୀପ ଜଳେ ।
ଏ ପ୍ରଦୀପ ଜଳେ ପତି ଙ୍କ ସୁରକ୍ଷା
ପରିବାର ରକ୍ଷା ପାଇଁ,
ତେର ବର୍ଷ ହେଲା ପ୍ରଦୀପ ଜାଳିଛି
ଲିଭିବାକୁ ଦେଇନାହିଁ ।
ତେର ବର୍ଷ କାଳ ଜାଳେ ମୁଁ ଅଖଣ୍ଡ
ବିନିଦ୍ର ରଜନୀ ରହି
ଏ ପ୍ରଦୀପ ଶିଖା ମୋ ପତି ସୁରକ୍ଷା
ପରିବାର ରକ୍ଷା ପାଇଁ।
ଜଳୁଅଛି ପୁଣି ସଦା ଜଳୁଥିବ
ଏହାର ରହସ୍ୟ ଏହି ,
ଶୁଣି ହନୁମାନ କରିଲେ ପ୍ରସ୍ଥାନ
ସେଠାରୁ ବିଦାୟ ନେଇ ।
