ହସର ରାଜା
ହସର ରାଜା
ମୋ ହସ ସୁନ୍ଦର ମୋ ହସ ମଧୁର
କହି କୁନା ମୁନା ଭାଇ
ବଙ୍ଗଳାରେ ବସି ହସ ରାଜା କହି
ଲକ୍ଷଣ ଦେଲେ ବତାଇ।
କୁନା ଖୋଲାହସେ ଦୁଲୁକାଇ ଦେଲା
ତାର ସେ ସୁନ୍ଦର ଘର
ମୁରୁକି ହସାରେ ଆଙ୍କୁଥିଲା ମୁନା
ସେନେହର ଗନ୍ତାଘର।
ଶୁଣ୍ ରେ ମୁନା ଖୋଲା ହସ ପରା
ଲାଗେ ଫୁଟା ଚମ୍ପାଫୁଲ
ଏ ହସ ହସିଲେ ହାଲୁକା ମନଟା
ନାଚଇ କରି କମାଲ।
ଏ ହସର ଶବ୍ଦ କାନକୁ ଛୁଇଁଲେ
ଲାଗେ ବାଜୁଛି କି ବାଜା
ଦେହେ ସବୁ ଅଙ୍ଗ ବ୍ୟାୟାମ କରନ୍ତି
ଖୁସିରେ ମାରନ୍ତି ମଜା।
ଏଇ ହସ ପରା ବଢାଏ ଆୟୁଷ
କରେନା ସହଜେ ବୁଢା
ତା ଶବଦେ ମାରେ ଖୁସିର ଲହଡି
ଲାଗେ ସତେ ଘୋଡାଚଢା।
ତୋ ମୁରୁକି ହସ ଚୋର ପରି ଲାଗେ
ସତେ ବା ଲୋଭୀ କୃପଣ
ଲାଗେ ଖଳ ହିଂସା ତା ଭିତରେ ଲୁଚି
ହେଉଥାନ୍ତି ଭଣଭଣ ।
ତୋ ହସରେ ଆଦୌ ଦିଶେନାହିଁ ଦାନ୍ତ
ଲାଗୁ ତୁ ପୁରା ପାକୁଆ
କିଏ ବି ଭାବନ୍ତି ବେଡା ନିର୍ବୁଦ୍ଧିଆ
କିବା ମୁରୁଖ ଭକୁଆ।
କହିଲାଟି ମୁନା ଗୁଣ କୁନାଭାଇ
ତୁମେ ବଡ଼ ସ୍ବାର୍ଥପର
ଶବ୍ଦ ପ୍ରଦୂଷଣ କରି ତୁମେ ପରା
କ୍ଷତି କର ବାରମ୍ବାର।
ଘଡଘଡି ପରି ହମ୍ବାରଡ଼ି ତୁମ
ଯା କାନେ ଯେବେ ବାଜଇ
ରାଗେ ଗାଳିଦେଇ କେ କହେ ଅଭଦ୍ର
ସଭ୍ରମ କ'ଣ ଶିଖିନାହିଁ।
ଫମ୍ପା ମାଠିଆର ଶବଦଟି ବେଶି
ଭୁଲି ଗଲ କି ମନରୁ
ଜ୍ଞାନୀ ଗୁଣୀ କେବେ ହାଲା କରନ୍ତିନି
ଧୀରେ ଖୋଲନ୍ତି ହୃଦରୁ।
ମୋ ମୁରୁକି ହସା ଜଣା ଅଜଣାକୁ
ଲାଗେ ଗୋଲାପର କଢି
ତାର ଆକର୍ଷଣେ ପ୍ରେମ ବରଷନ୍ତି
ନ ମାରି ଅଯୋଗ୍ୟ ରଡି।
ମୁରୁକି ହସଟା ମହୁଠାରୁ ମିଠା
ଯେ ଖାଏ ପାରେନା ଭୁଲି
ଶୟନେ ସ୍ବପନେ (ତା) ଛବି ଆଙ୍କୁଥାଏ
ଧରି ମମତାର ତୂଳୀ।
ସମସ୍ତେ କହନ୍ତି ମୋ ହସରେ ଥାଏ
ସ୍ନେହ ଶୃଙ୍ଖଳା ସଂସ୍କାର
ଶବଦରେ କ୍ଷତି କରେନାହିଁ ବୋଲି
ପାଏ ଶରଧା ଅପାର।
କୁହ ଏବେ ଭାଇ କାହା ହସ ଭଲ
ତୁମ ହସ ନାଁ ମୋହର
କୁନା ଚିନ୍ତା କରି କହିଲା ରେ ମୁନା
ଭଲକରି ଚିନ୍ତା କର।
କୁନି ପିଲା ହସ ଖୋଲା ହସ ବୋଲି
ସଭିଏଁ ପାଆନ୍ତି ଭଲ
ବଡ଼ହେଲେ କିନ୍ତୁ ମୁରୁକି ହସଟା
ସଭିଙ୍କୁ କରଇ ଗେହ୍ଲ।
ବିବେକ କହିଲା ଆରେ କୁନି ପିଲେ
ଜାଣିଛ କି ତୁମ ମଧ୍ୟେ
ଅଟ୍ଟହସ୍ୟ ଆଉ ପରିହାସ ରହି
ଲେଖନ୍ତି ଯନ୍ତ୍ରଣା ପଦ୍ୟେ।
ଉଚ୍ଚ ହସେ କିବା ମୃଦୁ ହସେ କେବେ
ଭରିବନି ପରିହାସ
ନ ହେଲେ ହସକୁ ବିଷ ବୋଲି ଭାବି
ସରବେ କରିବେ ନାଶ।
ଯେଉଁ ହସ ଜିଣେ ଅନ୍ୟର ହୃଦୟ
ସେ ପରା ହସର ରାଜା
ହେଉ ସେ ମୁରୁକା ଅବା ଖୋଲା ହସ
କର ତାର ପଦପୂଜା।