ହସି ହସେଇବା ଧର୍ମ
ହସି ହସେଇବା ଧର୍ମ
ସାଗରର ସେଇ ନୀଳ ଉର୍ମିମାଳା
ଛୁଉଁଥିଲା ବେଳାଭୂଇଁ
କହୁଥିଲା ଆସ ବୁକୁରେ ମୋ ମିଶ
ଦେବି ତୁମକୁ ଭିଜେଇ ।।
ଲାଜରେ ସରମି ଧୋଇ ଯାଉଥିଲା
ବେଳାଭୂମି ବାଲିରେଣୁ
କହୁଥିଲା ପ୍ରିୟ ତୁମ ପାଇଁ ଅଛି
ଅଭିମାନ ତେଜି ମନୁ।।
ଏ ବିଶ୍ବ ଦେଖିଛି ଯୁଗ ଯୁଗ ପାଇଁ
ଆମରି ଅମର ପ୍ରେମ
ସିକ୍ତ କରୁଛ ଅବିରତ ମୋତେ
ତାହା ହିଁ ତ ପୂଣ୍ୟ କର୍ମ ।।
ଦୂରେ ଚାଲିଯାଅ ଯେବେ ତୁମେ ପ୍ରିୟ
ଚାହିଁ ରହିଥାଏ ମୁଁହି
ତୁମ ବିନା ତନୁ ଶୁଷ୍କ ନିଥର
ସୈକତ ମରୂର ଭୂଇଁ ।।
ତମେ ଅଛ ବୋଲି କେତେ ଯେ ପଥିକ
ବୁକୁପରେ ମୁଁ ଯେ ଦେଖେ
ସୁଖ ଦୁଃଖ ସବୁ ଲୋଟେଇ ଦିଅନ୍ତି
ଆସିଥାନ୍ତି ମୋର ପାଶେ ।।
ତୁମେ ଯେ ସାଗର ମୁଁ ଯେ ବେଳା ଭୂଇଁ
ହସି ହସେଇବା ରହି
ଆମ ପ୍ରେମ ସତେ ଦେଖିବ ଜଗତ
ନିଜକୁ ବୁଝିବା ପାଇଁ ।।
ସେଇ ତ ଆମର ସାର୍ଥକତା ପଣ
ସ୍ରୁଷ୍ଟି ଗଢିବା ଲକ୍ଷ
ତ୍ୟାଗରେ ଜୀବନ ଭୋଗରେ ତ ନୁହେଁ
ଶେଷ ହିଁ ତାହାର ମୋକ୍ଷ।।