ହୃଦୟର ଭାଷା
ହୃଦୟର ଭାଷା
ଆଖିରୁ ବୋହୁଛି ସୁଖେ ଅବା ଦୁଃଖେ
ଯେଉଁ ଦୁଇଧିର ଲୁହ
ମଣିଷ ଜୀବନ ସମ୍ପତ୍ତି କହିଲେ
ହୃଦେ ଥାଏ ଯେଉଁ କୋହ।
ମନ ଭିତରର ଅବ୍ଯକ୍ତ ବେଦନା
ନୟନ କୋଣରେ ଦିଶେ
କହିହୁଏନାହିଁ କାହାରି ଆଗରେ
ଜ୍ବଳନେ ଅନଳ ମିଶେ।
ବୋହିଯାଏ ଲୁହ ଚିବୁକ ଉପରେ
ମାଟିରେ ପଡଇ ଖସି
ଦେଖେନାହିଁ ସିଏ ସ୍ବଚ୍ଛ ଅସ୍ବଚ୍ଛ ତ
ଢଳିପଡି ଯାଏ ମିଶି।
ଦୁଇଧାର ଲୁହ ବୋହିଯାଏ ଯେବେ
ଆସେ ଯେବେ କା ନଜରେ
ମିଛେ ହେଉ ଅବା ସତରେ ଦେଖାନ୍ତି
ଆତ୍ମିୟତା ସେ ମନରେ।
ଦେଖାଯାଏ ସିନା ଲୁହ ଦୁଇଟୋପା
ଅନେକ କାହାଣୀ କୂହେ
ପଢି କେ ଜାଣିଛି ହୃଦୟର ଭାଷା
ବୁଝିଛି କହିବ ସିଏ।
ମନତଳେ ଥିବା ଅକୁହା କଥାକୁ
ଚାପି ଧରି କଷ୍ଟ ପାଏ।
ଵିହିର ସେ ସୃଷ୍ଟି ଅର୍ପୂବ ଭାରତୀ
ଆଖି କୋଣେ ଦେଇଥାଏ।
ଛଳଛଳ ଆଖି ଆକୁଳ ବେଦନା
ଶୁଣିଛି କି କେହି ଜଣେ
ଅମାନିଆ ହୋଇ ବୋହିଯାଇଥାଏ
ଆଦ୍ର ଆଖିର ସେ କୋଣେ।
ସୁଖେ ବୋହୁଥାଏ ଯେଉଁ ଲୁହଧାର
ତାକୁ ପରା ମନ ଝୁରେ
ମନ ପରିଭାଷା ଉକୁଟି ଉଠଇ
ନୟନ ଚାହାଣି ତୀରେ।
ଲୁହ ଅଟେ ପରା ଜୀବନର ଅଙ୍ଗ
ତାକୁ କି ଛାଡିବ ସହି
ତାବିନା ଜୀବନ ନିରର୍ଥକ ଅଟେ
ପାରିବେନି କେହି ରହି।
ଦୁଇଧାର ଲୁହ ମୋତିର ସମାନ
ଅମୂଲ୍ଯ ଅଟଇ ପରା
ତାକୁ ତୁମେ କେବେ ଝରାଇ ଦିଅନି
ଯେତେ ଦିନ ଥିବ ପରା।
