STORYMIRROR

Bunee Tripathy

Others

4  

Bunee Tripathy

Others

ହୃଦୟ କାଗଜେ

ହୃଦୟ କାଗଜେ

1 min
332


ଅଭୁଲା ମୁହୂର୍ତ୍ତ ରହିଛି ତ ସାକ୍ଷୀ

   ଜୀବନର ଚଉହଦେ

ଭୁଲିହେବନାହିଁ ମରଣର ଯାଏଁ

   ରହିଥିବ ମୋର ହୃଦେ।


ଯାହା ହାତଧରି ଶିଖିଥିଲି ଚାଲି

  ଛାଡି ଚାଲିଗଲେ ମୋତେ

ହଜିଗଲା ପରା ବାପା ଡାକ ମୋର

   ଭୁଲିପାରୁନାହିଁ ସତେ।


ଦୁନିଆ ଦାଣ୍ଡରେ ହୋଇଗଲି ଏକା

   ପିତୃହରା ଏକାକିନୀ

ପଛକୁ ମୋହର ଠିଆ ହେବାପାଇଁ

   ଆଉ କେହି ରହିଲେନି।


ଆଖି ବୁଜିଦେଇ ଶାନ୍ତିରେ ସେଦିନ

  ଶୋଇଥାନ୍ତି ମୋର ପିତା

ଶ୍ବେତ ଚାଦରରେ ଆଚ୍ଛାଦିତ ହୋଇ

   ଦିଅନ୍ତି ଶାନ୍ତି ବାରତା।


ଯେଉଁ ବାପା ଦିନେ ଗାଳି ଦେଉଥିଲେ

   ଭୁଲ ଯଦି କରୁଥିଲି

ଆଜି କିନ୍ତୁ ସିଏ ନୀରବ ହୋଇଣ

   ସେପୁରରେ ଦେଖିଥିଲେ।


ମୁଣ୍ଡପିଟି ଦେଇ କାନ୍ଦୁଥିଲା ବୋଉ

  ଲିଭିଲା ସିନ୍ଦୁର ଗାର

ହାତର ଶଙ୍ଖା ତ ମଳିନ ପଡିଲା

  ଲିଭିଲା ଅଲତା ଗାର।


ପତି ବିନା ପତ୍ନୀ ଥୁଣ୍ଟା ଗଛଟିଏ

   ସମାଜ କାନନେ ପରା

ସଂସାର ତରୀକୁ ପାରି କରିବାକୁ

  ନାଉରିର ଦରକାର।


ବୈଧବ ଯନ୍ତ୍ରଣା ସହି ହୁଏନାହିଁ

  ହାତୁ ଭାଙ୍ଗେ ଯେବେ ଚୁଡି

ମୁଣ୍ଡରୁ ସିନ୍ଦୁର ପୋଛି ଦିଅନ୍ତି ତ

   ପିନ୍ଧେ ପରା ଧଳାଶାଢୀ।


ଶବଧାର ପାଖେ ବସି କାନ୍ଦୁଥିଲି

   ବୁହାଇ ଲୋତକ ଧାର

ପୋଛିବାକୁ ପରା ଉଠିଲେନି ବାପା

   ଶୋଇଗଲେ କୋକେଇରେ।


ହୁତୁହୁତୁ ହୋଇ ଜଳିଗଲେ ସିଏ

   ମୁଠାଏ ପାଉଁଶ ହୋଇ

ମଥାରୁ ମୋହର ଉଠିଗଲା ହାତ

   ରହିଗଲି ଏକା ହୋଇ।


ସବୁଦିନ ମୋର ହୃଦୟ କାଗଜେ

   ରହିଥିବ ଛବି ହୋଇ

ଅଲିଭା କାଳିରେ ଥରେ ଆଙ୍କିହେଲେ

   ରହିବ ଅମର ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍