ହଜିଲା ସିନ୍ଦୁର
ହଜିଲା ସିନ୍ଦୁର
ବାଜିନାହିଁ ଶୁଭଶଙ୍ଖ ଶୁଭିନାହିଁ ମଙ୍ଗଳ ମହୁରୀ।
ପକ୍ଷୀରାଜ ଘୋଡା ଚଢି ପରୀରାଇଜରୁ,
ରୋଷଣୀ ଜାଳି ଆସିନି ସପନର ତା ରାଜକୁମାର।
ସିନ୍ଥିରେ ନାହିଁ ସିନ୍ଦୁର , ହାତରେ ତା ଝଲସୁନି ସଧବାର ଶଙ୍ଖା।
ସାତ କଳସୀ ବସାଇ ଆଠଦୀପ ଜାଳି,
ମାଙ୍ଗଳିକ ସାହାନାଈ ସୁରେ,
ଲାଜେଇ ବାଡୁଅ ପାଣି ଭିଜେଇନି କୁଆଁରୀ ମନକୁ।
ବାସର ଶେଯ ଉପରେ ନୂଆବୋହୁ ସାଜି,
ଓଢ଼ଣା ଫାଙ୍କ ଭିତରେ,
କୁଆଁରୀ ଲାଜ ପାଇନି ପ୍ରତିକ୍ଷୀତ ପ୍ରିୟର ପରଶ।
କିନ୍ତୁ? ତା କୋଳରେ ଆଜି ଖେଳୁଛି ମମତା।
ଦାରିଦ୍ର୍ୟତା ନିଦାଘର ତାପେ,
କ୍ଷୀଣ ହୋଇଯାଇଥିବା ତା ବୁକୁର ଅମୃତର ଧାରା,
ବୁଝାଇ ପାରୁନି ତାର ଅଝଟ କ୍ଷୁଧାକୁ।
ମାତୃତ୍ଵର ଚିରାଫଟା ପଣତ ଉହାଡେ,
ଅଝଟିଆ ମମତାଟା ମାଗୁଛି ତା ପିତୃ ପରିଚୟ,
ଯାହା ହାତ ସାହାରାରେ ଚାଲିବ ସେ ବାଟ,
ଗଢିବ ସେ ଭବିଷ୍ୟତ ସ୍ଵପ୍ନର ମୀନାର।
କିନ୍ତୁ !ସେ କାହୁଁ ଜାଣିବ?
ପାଗଳୀ ମାଆଟା ତାର,
ନିଜେ ଜାଣିନାହିଁ ନିଜ ସିନ୍ଦୁର ଠିକଣା!
ସେଦିନ ସେ ଶୁନଶାନ୍ ଖରାବେଳେ,
ଗହଳିଆ ସହକାର ତଳେ,
ପାଗଳିନୀ କୁଆଁରୀ ଝିଅଟା,
ନିଜ ପେଟ ଚାଖଣ୍ଡକ ପାଇଁ,
ମଣିଷର ମୁଖାପିନ୍ଧା ଅମଣିଷ ଆଗେ,
ପାତିଥିଲା ଭୋକିଲା ପଣତ।
କିନ୍ତୁ?ସୂର୍ଯ୍ୟରୁପୀ କାମୁକର ଲୋଲୁପ ଦୃଷ୍ଟିରେ
ଜର୍ଜରିତା କୁମାରିତ୍ଵ,
ସଲୀଳ ସମାଧି ନେଲା ଚନ୍ଦ୍ରଭାଗା ପରି।
ଛଦ୍ମବେଶୀ ଅତ୍ୟାଚାରୀ ଦୁର୍ମିଳା ଦାନବ,
ଭରିଦେଲା ତା କାନିରେ ଅଯାଚିତ ମାତୃତ୍ଵର ବୋଝ।
ଅମୃତ ସନ୍ତାନ ଆଜି ପାଲଟିଲା ବିଷର ପିଆଲା।
କିନ୍ତୁ? କି ଦୋଷ ସେ ଅମୃତ ବିନ୍ଦୁର?
କାହିଁକି ସେ ଉପେକ୍ଷିତ ସମାଜର ଘୃଣିତ ଚକ୍ଷୁରେ?
ତାର କଣ ବଞ୍ଚିବାର ଅଧିକାର ନାହିଁ?
ସେ କାହିଁକି ଚାଖିବ ଅମଣିଷ ମାନଙ୍କର ଦୁଷ୍କର୍ମର ଫଳ?
କାହିଁକି ସେ ବଡ ହେବ ପିତୃତ୍ଵର ବିନା ଠିକଣାରେ?
କିନ୍ତୁ? ଧରଣୀ ତ ଜାଣେନାହିଁ ବିଷ ଆଉ ପୀୟୁଷ ଫରକ।
ରଖିବାକୁ ମାତୃତ୍ଵର ମାନ,
ପିଇବ ସେ ବିଷର ପିଆଲା।
କଂସ ପରି ତାକୁ ସେ ପାଳିବ,
ଦୁର୍ମିଳା ଦାନବ ବଂଶ ବିନାଶିବା ପାଇଁ।
କିନ୍ତୁ? ଏ ସଭ୍ୟ ସମାଜ!
ଉଗ୍ରସେନ ରାଜାର ସେ ବିଶାଳ ହୃଦୟ ନେଇ,
ବାତ୍ସଲ୍ୟ ମମତା ଦେଇ,
ପାଳିପୋଷି ତାକୁ ବଡ କରିବତ?
ସେତେଦିନ ଯାଏ ତାକୁ ବଞ୍ଚିବାର ସୁଯୋଗ ଦେବତ??