STORYMIRROR

Snigdha Nayak

Others

5.0  

Snigdha Nayak

Others

ହଜିଗଲା ମୋ ଗାଁ

ହଜିଗଲା ମୋ ଗାଁ

2 mins
14K


ହଜିଗଲା ମୋ ଗାଁ, ସରିଗଲା ପିଲାଦିନ

ରହିଗଲା, ଧା ଧାପଡ ଭରା ଜୀବନ

ଥିଲା ଦିନ ମିଳୁଥିଲା ସରଗ ସୁଖ

ଟାଣ ଖରା ଝାଞ୍ଜିବି ନ ଦିଏ ଦୁଃଖ

ଚାଲୁଥିଲା କେତେ ଯେ ଲୁଚକାଳି ଖେଳ

ବଡ଼ ପରିବାର ଆଉ ସାଙ୍ଗସାଥୀ ମେଳ

କେବେ ନଦୀ ତଟ ତ କେବେ ଢବାଘର

ସଭିଏଁ ଥିଲେ ନିଜର, ନ ଲାଗଇ କେହି ପର

ସକାଳୁ ସଂଧ୍ୟା ବିତିଯାଉଥିଲା ହସିହସି

ନାହିଁ ଏବେ ଆଉ ମୋର ସେଇ ଗାଁଟି

ତା'ସ୍ମୃତିରେ କଟେ ଏ ବୃଦ୍ଧାବସ୍ଥା ବସିବସି

କେବେ ଆମ୍ବ ଗଛରେ ଖେଳୁ ଦୋଳି

ତ କେବେ ନଦୀ ତଟର ସେଇ ବରକୋଳି

ବାଡ଼ି ପଟେ ଚାଲେ ଖେଳ ହୋଇ ମାଟି ବାଲି

ଅଜା ଆଇ କୋଳେ କରେ ସର୍ବଦା ଅଳି

ଚାଲିଗଲା ସମୟ , ସରିଗଲା ସବୁ ଖେଳ

ଗଲେ ବି ଆଉ ଗାଁକୁ, ଲାଗେନି ଭଲ

ହେଉନି ଆଜିକାଲି ଆଉ ସେ ମେଳ

ଦରଶନ ଦେଉନି ସେ ବଳଦ ଗାଡି

କି ନ ଉଡ଼ଇ ସଂଧ୍ୟା ସମୟେ ଗୋଧୂଳି

ମାଟିଘର ବଦଳିଗଲାଣି ହୋଇ କୋଠା

ନାହିଁ କାଠ କଣ୍ଢେଇ କି ନାହିଁ ସେ ଆମ୍ବ ତୋଟା

ଦେଖୁନି ଆଉ ମାଟି ତାଇ କି ଦନା ଖଲି

ରଂଗବେରଙ୍ଗ କାଚ ବାସନ ଭଳିକି ଭଳି

ଚାଲିଗଲେ ଅଜା ଆଇ ଆରପାରିକୁ

ନାହିଁ ଆଉ ତାଙ୍କ ସେନେହ ଭରା କୋଳ

ଗାଁ' ଛାଡି ବିଦେଶେ ହେଲେଣି ସଭିଏଁ ଠୁଳ

ନାହିଁ ସେବର, ଆଉ ସେ ସାଙ୍ଗସାଥୀ ମେଳ

ହଜିଗଲା ମୋ ଗାଁ ଚାଲିଗଲା ମୋ ପିଲା ଦିନ

କେଡେ ସୁଆଦିଆ ତାଇର ପତର ପିଠା

ପୂଜା ପରବେ କେତେ ରକମର ମିଠା

ଆଜିକାଲିର ହଉ କେକ୍ କି ମିଠା

ଲାଗେ ତା'ସମ୍ମୁଖେ ସବୁ ସିଠା ସିଠା

ନଦୀ ତଟ ପାହାଡ଼ ମୂଳର ବଣଭୋଜି

ଅଧା ସିଝା ଭାତ ଡାଲି ଆଉ ଅଣ୍ଡାଭୁଜି

ଉଡିଯାଏ ଭୁଞ୍ଜିବା ଆଗରୁ ମୋ ଖଲି

ଉଡାଇଦେଲୁ ବୋଲି ଭଉଣୀ ଦିଏ ଗାଳି

କଷ୍ଟେ ରାନ୍ଧିଥିଲି ,କହି ଦିଟା ଦିଏ କସି

ମନେ ପଡିଲେ, ଲୋଟିଯାଏ ମୁଁ ହସିହସି

ମଜା ଲାଗେ , ନଳକୂପର ସେଇ ଲମ୍ବା ଧାଡି

ତ' କେବେ ଡର ଲାଗେ ଗୁରୁଜୀଙ୍କ ଅମରିବାଡି

ଧୁଉଁ ଧୁଉଁ ଖରାବେଳେ ଗୋଟାଉ ଜାମୁକୋଳି

କୋକୁଆ ଭୟେ ଦଉଡି ପଳାଉ ଶୁଣି ଭାଲୁରଡ଼ି

କେବେ ନାକଚିପୁ ଦେଖି ଆଇ ର ଗୋବର ସାଉଁଟା

ତ' କେବେ ହାତ ଚାଟୁ ଖାଇ ତା'ହାତରନ୍ଧା ପାତଲଘଣ୍ଟା

ରାତିସେଜ ବିଛାହୁଏ ,ନେଇ ଦଉଡି ଖଟ

ଶୋଇବା ପାଇଁ ଆଇ ପାଖରେ କେତେ ଯେ ହଟ

ଭୂତୁଣୀ ଗପ ଶୁଣି ଧରିଥାଉ ତା'କାନି ଛାନିଆରେ

କେତେ ଖୁସି ମଜାରେ କଟୁଥିଲା ଦିନ ସତରେ

ପାହାନ୍ତା ରୁ ତୋଳୁ ମାଳତୀ ଫୁଲ, ଫୋଡିଲେ ବି କଣ୍ଟା

ଆଉ ଏବେ କାହିଁ ସେ ବେଳ ,ପଡ଼ିଗଲାଣି ଅଣ୍ଟ।

ସଞ୍ଜ ବେଳେ ଖୁବ୍ ଚାଲେ ଦାଦା ,ମଉସାଙ୍କ ପଶା ଖେଳ

ବଡ ସୁଆଦିଆ ଲାଗେ କଂସା ବାସନର ବାସି ପଖାଳ

ଅତି ମନୋରମ ଥିଲା ସେ ଦୃଶ୍ୟ, ଚାଲିଗଲା ସେ କାଳ

ହଜିଗଲା ମୋ ଗାଁ, ସରିଗଲା ସେ ପିଳା ଦିନିଆ ଖେଳ।

ସ୍ନିଗ୍ଧା ନାୟକ,କୋଟା, ରାଜସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍