ହେ ପୂର୍ଣ୍ଣକାମ
ହେ ପୂର୍ଣ୍ଣକାମ
ବିହଙ୍ଗର ଗାନରେ ଶୁଭେ ତୁମରି ମହିମା ସଂଗୀତ
ସୂର୍ଯ୍ୟ କିରଣରେ ଶୁଭିଯାଏ ତୁମ ମହିମାର ସ୍ତୋତ୍ର ।।
ଫୁଲର ସୁରଭି ବିତରେ ତୁମ ଗନ୍ଧ ଚନ୍ଦନର ବାସ
ଜହ୍ନର ଶୀତଳ ଜ୍ୟୋତ୍ସ୍ନା ସତେ ଅବା ତୁମ ସ୍ମିତହାସ୍ୟ ।।
ପକ୍ଷୀ କାକଳିରେ ଶୁଭେ ତୁମ ମଧୁର ବଂଶୀର ସ୍ୱନ
ଝରଣାର ଜଳଧାରା ଗାଉଥାଏ ତୁମ ଜୟ ଜୟ ଗାନ ।।
ନଦ ନଦୀ ସ୍ଥାବର ଜଙ୍ଗମେ ସୁଶୋଭିତ ଏଇ ଧରା
ତୁମରି ମହିମା ଗାଉଥାଏ ଅବିରତ ଦିବା ନିଶି ପରା ।।
ତୁମେ ପୁରି ରହିଅଛ ଜଳ ସ୍ଥଳ ନଭ ସାରା ସଂସାରରେ
କେବେ ଅଛ ମନ୍ଦିର ଭିତରେ , ତ କେବେ ଭକ୍ତ ହୃଦୟରେ।।
ତୁମେ ସର୍ବମୟ କର୍ତ୍ତା, ତୁମେ ପରମ କାରଣ ,ଭାଗ୍ୟ ବିଧାତା
ଜଗତ ତାରଣ ତୁମେ , ତୁମ ବିନା ଆଉ ନାହିଁ ଅନ୍ୟ ପନ୍ଥା ।।
ତୁମେ ପରଂବ୍ରହ୍ମ ପରାତ୍ପର , ତୁମେ ବ୍ୟାପିଛ ସଚରାଚର
ତୁମେ ପରିବ୍ୟାପ୍ତ ନୀଳ ସିନ୍ଧୁ, ମୁଁ ଯେ କ୍ଷୁଦ୍ର ଏକ ଜଳ ବିନ୍ଦୁ ।।
ଜାଣେ ନାହିଁ ତୁମ ପୂଜା ବିଧି, ଜାଣେ ନାହିଁ ମନ୍ତ୍ର, ତନ୍ତ୍ର, ଧ୍ୟାନ
କି ଦେଇ ତୋଷିବି ପ୍ରଭୁ ଯାହା ଦେଖୁଛି ସବୁ ତ ତୁମରି ଦାନ।।
ତୁମରି ଚିଜ ତୁମକୁ ଦେଇ, ଦେଲି ଦେଲି ବୋଲି କହିବି କାହିଁ
ଆଖି ଲୁହରେ ଅଞଳି ଭରି, ଦେଉଛି ନିଅ ହେ ଜଗତ ସାଇଁ।।
ବିଷୟା ବିଷରେ ହୋଇ ମୁଁ ଲିପ୍ତ , ଚାଲିଅଛି କେତେ ଅମଡ଼ାବାଟ
ମୋତେ ତୋଳି ନିଅ ପ୍ରଭୁ କୋଳେ, ବଢାଇ ତୁମର ଅମୃତ ହସ୍ତ ।।
ମୋର ଜୀବନକୁ କର ମୁକ୍ତ ତୁମ ପତିତ ପାବନ କରୁଣା ବଳେ
ମୋର ପାପ ତାପ ହେଉ ନାଶ , ସ୍ଥାନ ଦିଅ ତୁମ ପାଦ ତଳେ।।
