ହେ ପ୍ରଭାତ
ହେ ପ୍ରଭାତ
ହେ ପ୍ରଭାତ,ତୁମେ ଅରୁଣ ଅଙ୍ଗର
ଅଭ୍ର ଅରୁଣିମା
ନରମ ନମ୍ର ପ୍ରକାଶ ।
ମଧୁ ଯାମିନୀର ମଧୁର ପରଶ
ସାୟଂକାଳ ସାଧ୍ବୀ
ଅତି କ୍ଷୀଣ ଅବକାଶ ।।
ଯାମିନୀ କାମିନୀ ସିଦ୍ଧି ସୁଲକ୍ଷଣୀ
ଅଙ୍କଶ୍ରୀ ଶାୟିନୀ
ଅଙ୍ଗ ଅଙ୍ଗୀକାର ପରେ ।
ସୁରମ୍ୟ ସୁରଭି ମହୁଆ ମହକେ
ଆସ, ଆସିଯାଅ
ଭାସେ ଧରା ଭାବନାରେ ।।
ହେ ପ୍ରଭାତ,ତୁମେ ନିତି ନିୟମିତ
ନୂତନ ସୂର୍ଯ୍ୟଙ୍କ
ଆବାହନୀ ମନ୍ତ୍ର ନେଇ ।
ଧୀର ଓ ମନ୍ଥର ପାଦ ଚାପି ଚାପି
ବୈଦିକ ରୀତିରେ
ବେଦସ୍ତୋତ୍ର ଯାଅ ଗାଇ ।।
ସେଇ ବେଦସ୍ତୋତ୍ର ଅପୂର୍ବ ବିଚିତ୍ର
ମନ୍ତ୍ରରେ ମନ୍ତ୍ରରେ
ମନ୍ତ୍ରମୁଗ୍ଧ ଅଭିଷେକ ।
ଅଭିଷେକ ନୁହେଁ ଅନନ୍ତ ଆକାଂକ୍ଷା
ନବ ଦିବସର
ଶୁଭ୍ର ସ୍ୱାଗତିକା ଶ୍ଳୋକ ।।
ସ୍ୱାଗତିକା ସୁର ନିନାଦିନୀ ସ୍ରୋତେ
ଉଷାଶ୍ରୀ ଚରଣ
ଶିଶିର ମୁକ୍ତାରେ ଧୁଏ ।
କର ପଲ୍ଲବରେ କୋଇଲି କଣ୍ଠର
ସୁମଧୁର ସ୍ଵନ
ଶୁଭ ବାରତା ଶୁଣାଏ ।।
ବିଶାଳ ଭୂଖଣ୍ଡ ଭୂଗୋଳର ତୁମେ
ଭବ୍ୟ ଭବିଷ୍ୟତ
ଇତିହୀନ ଇତିହାସ ।
ଇତିହାସ ପୃଷ୍ଠା ସୁଖ ଓ ଦୁଃଖର
ପରିମାର୍ଜନୀୟ
ନିତ୍ୟ ନୂତନ ପ୍ରକାଶ ।।
ପଦଚିହ୍ନ ତୁମ ସାଥିରେ ସାଥିରେ
ସାଥି କରି ଆଣେ
ସୁସମ୍ବାଦ ଦୁଃସମ୍ବାଦ ।
ଆଙ୍କିହୋଇ ଆସେ ବିରହ ମିଳନ
ଅମୃତ ଆନନ୍ଦ
ଅନାହୂତ,ରୁଦ୍ଧ କାନ୍ଦ ।
ମୃଣ୍ମୟୀ ମସୃଣ ମମତାର ଭ୍ରୁଣ
ରଜନୀ ସାରିକା
ରାତିର ରଜନୀଗନ୍ଧା ।
କ୍ଷତ ବିକ୍ଷତ ସେ ଲଜ୍ଜିତ ଲୁଣ୍ଠିତ
ରକ୍ତାକ୍ତ ଆୟୁଷ
ତୁମ ସିଦ୍ଧାନ୍ତରେ ବନ୍ଧା ।।
ସିଦ୍ଧାନ୍ତ ସମ୍ଭ୍ରାନ୍ତ ଅବା ଅସଂଭ୍ରମ
ପଦ୍ମକୁ ପ୍ରୀତିରେ
ପ୍ରୀତିଛନ୍ଦା ଦିଅ କରି ।
କାହିଁକି ତାହେଲେ ସ୍ୱାଗତ ସଙ୍ଗୀତ
ତୁମ ଆଗମନେ
ଛୁଟାଇ ଦିଏ ଲହରୀ !!
ଏକକ ଗର୍ଭର ଦୁଇଟି ବୃନ୍ତକୁ
ବୈମାତୃକ ଭାବ
ନୁହେଁ କି ହୀନମନ୍ୟତା ?
ମାନବ ତାହେଲେ ଶିଖିବ କେମିତି
ମାନବ ଧର୍ମର
ମର୍ମଭରା ମାଦକତା !!
ହେ ପ୍ରଭାତ,ତୁମେ ବିଶ୍ୱ ଭୁଗୋଳର
ଅବିଚ୍ଛେଦ୍ୟ ସତ୍ୟ
ଆକାରରେ ନିରାକାର !
ପ୍ରଣତି ବାଢୁଛି ପ୍ରଣୟ ବଳୟେ
ମାନବେ ଶିଖାଅ
ମାନବୀୟ ସଦାଚାର ।।