ହେ ନ୍ଯାୟାଧୀଶ
ହେ ନ୍ଯାୟାଧୀଶ
ଜଗତର ଈଶ ପ୍ରଭୁ ଜଗଦୀଶ
ଅଟନ୍ତି ସେ ନ୍ଯାୟାଧୀଶ
ତାଙ୍କ ଶ୍ରୀ ପୟରେ କୋଟି ପ୍ରଣିପାତ
କରେ ଅଧମ ଅଶେଷ ।
ଜଗତର ତୁମେ ଶ୍ରେଷ୍ଠ ବିଚାରକ
ପ୍ରାଣୀଙ୍କର ନ୍ଯାୟମୂର୍ତ୍ତୀ
ପାପ ଓ ପୁଣ୍ଯର କରୁଛ ବିଚାର
ଧରି ଧର୍ମର ନିକିତି ।।
ଜନ୍ମଦାତା ପୁଣି ପାଳନ କର୍ତ୍ତା ସେ
ସମସ୍ତଙ୍କ ଜ୍ଞାନ ଦାତା
ସୁଖ-ଦୁଃଖ-ଧନ-ବିଦ୍ଯା ଦାତା ଯେ
ସେ ପୁଣି ବିଶ୍ବ ନିୟନ୍ତା ।
ସକଳ ପ୍ରାଣୀଙ୍କ ଦୁଃଖର ସଂହର୍ତ୍ତା
ଚତୁର୍ବର୍ଗ ଫଳ ଦାତା
ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରଦାତା ସେ
ସଭିଙ୍କ ଭାଗ୍ଯବିଧାତା ।
ତୁମ ସମକକ୍ଷ ଏ ଜଗତେ ଆଉ
ନାହିଁ କେହି ନ୍ଯାୟବନ୍ତ
ଉଚିତ ନ୍ଯାୟର ସଠିକ ବିଚାରେ
ପାଳୁଅଛ ଏ ଜଗତ ।
ଯୁଗ ଅନୁସାରେ ଧର୍ମ ଓ ନ୍ଯାୟର
ସ୍ଥିତି ଥିଲା ଭିନ୍ନ ଭିନ୍ନ
ସତ୍ଯ ଯୁଗରେ ଧର୍ମ ଚାରିପାଦ
ତ୍ରେତୟାରେ ତ୍ରି ଚରଣ ।
ଦ୍ବାପରରେ ଥିଲା ଧର୍ମ ଦୁଇପାଦ
କଳିଯୁଗେ ପାଦ ଏକ
ଧାର୍ମିକ ସହିତ ନ୍ଯାୟବନ୍ତ ଥିଲେ
ଚାରି ଯୁଗରେ ଅନେକ ।
ସତ୍ଯ-ଧର୍ମ-ନ୍ଯାୟ ଏକ ଓ ଅଭିନ୍ନ
ତତ୍ତ୍ବେ ଅଟନ୍ତି ସମାନ
ଜଣେ ଜଣଙ୍କଠୁ ହୋଇଲେ ଅଲଗା
ବ୍ୟତିକ୍ରମ ହୁଏ ଜାଣ ।
ସତ୍ଯ ଓ ଧର୍ମର ରକ୍ଷକ ଅଟନ୍ତି
ସ୍ଥିରମତି ନ୍ଯାୟାଧୀଶ
ନର ରୂପୀ ସେ ଯେ ସାକ୍ଷାତ ଦେବତା
ହୋଇଥାନ୍ତି ଯେ ଅବଶ୍ଯ ।
ପ୍ରଭୁ ରାମଚନ୍ଦ୍ର ରାଜା ହରିଶ୍ଚନ୍ଦ୍ର
ଥିଲେ ନ୍ଯାୟ-ଅବତାର
ଶମ-ଦମ-ଦଣ୍ଡ ଓ ନ୍ଯାୟ ଭେଦରେ
କରୁଥିଲେ ସୁବିଚାର ।
ଆଜିର ସମାଜେ ନ୍ଯାୟାଧୀଶ ମାନେ
ମିଥ୍ୟା ପ୍ରମାଣ ଆଧାରେ
ନିର୍ଦୋଷକୁ ଦଣ୍ଡ ଦୋଷୀକୁ ନିର୍ଦୋଷେ
ମୁକ୍ତ କରନ୍ତି ରାୟରେ ।
ମିଥ୍ୟା ସାକ୍ଷ୍ଯକୁ ଯେ ବଳିଷ୍ଠ ଯୁକ୍ତିରେ
ଵିନା ତଦନ୍ତରେ ରାୟ ।
ପ୍ରତିପକ୍ଷ ଯୁକ୍ତି ହୁଅଇ ଅଗ୍ରାହ୍ୟ
ଅପରାଧୀ ହୁଏ ଜୟ ।
ସମ୍ବିଧାନର ଆଇନ ଯେ ଅଟଇ
ଦୋଷୀ ହେଉ ଦଣ୍ଡମୁକ୍ତ
ନିର୍ଦୋଷ କେବେ ବି ନ ହେଉ ଦଣ୍ଡିତ
ଏହା ହିଁ ଆଇନ ସମ୍ମତ ।
ଅର୍ଥ ଯେ କରଇ ଧଳାକୁ କଳା ତ
କଳା ହୋଇଯାଏ ଧଳା
ବିଚାରପତିଙ୍କୁ କ୍ରୟ କରାଯାଏ
ଓକିଲେ କରନ୍ତି ଲୀଳା ।
ଅନ୍ଧର ପଟ୍ଟିକା ବାନ୍ଧି ନ୍ଯାୟଦେବୀ
ରହିଛନ୍ତି ନ୍ଯାୟାଳୟ
ଧର୍ମର ତରାଜୁ ହାତେଧରି ଦେବୀ
ସଭିଙ୍କୁ ଦ୍ଯନ୍ତି ଅଭୟ ।
ନ୍ଯାୟ ପ୍ରାପ୍ତି ଆଶେ ନିରୀହ ବ୍ଯକ୍ତିଟି
ଯେବେ ଯାଏ ନ୍ଯାୟାଳୟ
ନ୍ଯାୟାଧୀଶଙ୍କ ନିରପେକ୍ଷ ନ୍ଯାୟେ
ହୋଇଥାଏ ସେ ବିଜୟ ।
ସତ୍ଯ-ନ୍ଯାୟ-ଧର୍ମପଥ ଅନୁସରି
ହୁଅନ୍ତୁ ଧର୍ମାବତାର
ନ୍ଯାୟର ପଥଟି ହେଲେ ବି ଦୁଃସାଧ୍ୟ
ବିଜୟ ହୁଏ ନ୍ଯାୟର ।
ହେ ନ୍ଯାୟାଧୀଶ ନ୍ଯାୟ ଦରବାରେ
ଦିଅ ହେ ଉଚିତ ନ୍ଯାୟ
ନ୍ଯାୟର ପଥଟି ହେଉ ସୁପ୍ରଶସ୍ତ
ନ୍ଯାୟ ହେଉ ସଦା ଜୟ ।
