ହେ! ମୁଠାଏ ଦାନା
ହେ! ମୁଠାଏ ଦାନା
ଜୀବନ ଧାରଣର ପ୍ରଥମ ମୌଳିକ ଆବଶ୍ୟକତା ତୁମେ !
ଆମେରିକାର ବିଲଗେଟ୍ସ ହେଉ କି,
ଆମ ଗାଁ ର ବିଲୁଆ ମଳିକ,
କେଉଁଠି ମେଞ୍ଚାଏ ଓ କେଉଁଠି କେଂଚାଏରେ,
କଟେ ଜୀବନ।
କେଉଁଠି ନାହିଁ ନାହିଁର ଆହ୍ୱାନ,
କେଉଁଠି ପେଟ ହୁଏ ଅଜୀର୍ଣ୍ଣ,
କେଉଁଠି କାନ୍ଦିଉଠେ ପ୍ରାଣ,
କେଉଁଠି ଗର୍ଜି ଉଠେ କମାଣ,
କେବଳ ତୁମରି ପାଇଁ, ହେ! ମୁଠାଏ ଦାନା।
କେବଳ ତୁମରି ପାଇଁ,
ନାରୀ ସାଜେ ଏଠି ପିଙ୍ଗଳା!
ଦେହ କରି ଫୁଙ୍ଗୁଳା,
ମେଣ୍ଟାଇନିଏ ଅନେକଥର
ଅନିଚ୍ଛାରେ ତା ଶରୀରର ଜ୍ୱାଳା,
ହେଲେ ମେଣ୍ଟେ ନାହିଁ ତା ପେଟର ଜ୍ୱାଳା।
କେବଳ ତୁମରି ପାଇଁ, ହେ ! ମୁଠାଏ ଦାନା।
ତୁମକୁ ଖୋଜେ,
ଷ୍ଟେସନ ଓ ବସଷ୍ଟାଣ୍ଡରେ
ଅନାଥ ଓ ନିଷ୍ପାପ ପ୍ରାଣ।
ତା ହାତରେ ଥିବା ଜୋତା ପାଲିସ ର ବାକ୍ସରେ,
ସମ୍ବାଦ ପତ୍ରର ଗଦାରେ।
ତା କାନ୍ଧଝୁଲା ପାନ ବିଡିର ଦୋକାନରେ,
ଓ....
ଅଳିଆ ଗଦାରେ ପଡିଥିବା ଅଧାଖିଆ ଅଇଁଠା ସେଓରେ।
ତୁମେ ଅଣନିଶ୍ୱାସୀ ହୋଇଯାଅ,
ବନ୍ଦରହି ସରକାରୀ ଓ ବେସରକାରୀ ଗୋଦାମ ଘରେ।
ହେଲେ, ଏଠି ୧୦୦ ରେ ୩୦ ନିତି ରାତିକାଟେ,
ଓଦା କନାରେ।
ତୁମେ କେନ୍ଦ୍ରରୁ ଆସ,
ଅନୁଦାନ ରୁପରେ,
ମୁଠାରେ ମୁଠାଏ।
କିନ୍ତୁ...
ବିଲୁଆ ମଳିକକୁ ମିଳେନି ସେ ମୁଠାଏ ରୁ ଗୋଟେ।
କେଉଁଠି?
କେଉଁଠି , ହଜିଯାଅ ତୁମେ?
ଟେବୁଲର ତଳେ!
ମନ୍ତ୍ରୀ ଅଫିସରଙ୍କ ଗହଳେ?
ନା....
ଲାଲ ଫିତା ବନ୍ଧା ଫାଇଲ ର ଖୋଳେ।
ପୁଣି ଅନୁଦାନର ହୁଏ ଅନୁସନ୍ଧାନ।
ବସାଅ କମିଟି,
କେନ୍ଦ୍ରରୁ ଆସେ ଚିଠି,
ହେଲେ....
ବିଲୁଆ ମଳିକ ମାଇପର ବନ୍ଦ ହୁଏନା,
ଚିରାଚରିତ ବାସୀ ପାଇଟି,
ଗୋବର ଓ ଲାଲ ମାଟି।
ନିଜର ତ ନାହିଁ,
ପର କାନ୍ଥରେ ଲେପିଦେଲେ,
ମିଳିବ ତାକୁ ମୁଠାଏ ଦାନା,
ସକାଳର ଭୋକିଲା ପେଟ ଗୁଡ଼ାକୁ ଦେବ ଟିକେ ସାନ୍ତ୍ୱନା।
ଦାନା ପାଇଁ ଦାଦନ ସାଜେ ବିଲୁଆ।
ଛାଡେ ନିଜ ଭିଟାମାଟି,
ଭାବେ......
ସେଠି ମିଳିବ, ମୁଠାଏ ଦାନା,
ହେଲେ ମିଳେନି ବ ତାକୁ ଅଇଁଠା,
ମିଳେ ଖାଲି ବୁଟ ପିନ୍ଧା ପାଦର ଗୋଇଠା।
ପୁରୁଷ ପୁଅ ସେ,
ପାରେନା କାନ୍ଦି,
ସେ ତ ଆଜି ବନ୍ଦୀ,
କେବଳ ତୁମରି ପାଇଁ, ହେ! ମୁଠାଏ ଦାନା।
