ହେ ମୃତ୍ୟୁ
ହେ ମୃତ୍ୟୁ
ହେ ମୃତ୍ୟୁ
ତୁ ତ ଯୁଗେ ଯୁଗେ ଅଜର
ଜନ୍ମ ନ ଥାଇ ବି କାଳ କାଳକୁ ଅମର ।
ଅଭାବ ବା କଣ, କାହିଁକି ଏ ସ୍ୱଭାବ
ଆଚରଣ ବାଦଲ ଫଟା କ୍ରୁର
ନୃଶଂସ, ନିଷ୍ଠୁର ॥
ନୁହଁନ୍ତି ତ କେହି ତୋର
ପ୍ରତିଯୋଗୀ ଅଥବା ପ୍ରତିଦ୍ୱନ୍ଦୀ
ଅଥଚ ବାଟରେ କଣ୍ଟା ପକେଇ
ଅଫେରନ୍ତା ଯନ୍ତାରେ କରିନେଉ ବନ୍ଦୀ ॥
ଶାନ୍ତି ଭଙ୍ଗକାରୀ ପ୍ରୀତି ହତ୍ୟାକାରୀ
ତୋ ଛାଇରେ ହିଁ ଯେତେକ ଅନର୍ଥ
କୁସୁମିତ ପଥରେ ବି
ଝୁଣ୍ଟିପଡେ ଜୀବନର ରଥ ॥
ହେ ମୃତ୍ୟୁ
ତୁ ତ ଯୁଗାନ୍ତକାରୀ ଦୁର୍ବାର ସତ୍ୟ
ପାର୍ଥିବ ଦୁନିଆଁର
ଲୋମହର୍ଷଣକାରୀ ଶାଶ୍ୱତ ।
କିବା ଆନନ୍ଦ, କାହିଁକି ତୋର
ଅପହରଣକାରୀର ଏ କଳଙ୍କିତ ଚରିତ୍ର ॥
ମିଥ୍ୟାକୁ ଆଡେଇ
ତୁ ହିଁ ତ ସାଉଁଟି ଥାଉ ସତ୍ୟକୁ
ଅପ୍ରିୟ ସତ୍ୟକୁ, ହୃଦୟ ଫଟେଇ
ବିଭଙ୍ଗ ମନରେ ପ୍ରାଣକୁ କନ୍ଦେଇ
ସଂପର୍କକୁ ଫାଡି, ପ୍ରେମକୁ ଛିଣ୍ଡେଇ ॥
କିଏ ବା ତୋର ସମକକ୍ଷ
କାହିଁକି ଏତେ ଛଳନା
ଜୀଇଁବାର ରାସ୍ତାରେ ବିଛାଉ
ଅଫେରା ପ୍ରବଞ୍ଚନା ॥
ସ୍ପର୍ଶରେ ତୋର
ନୀରବତା ବି ଉଠେ ଶିହରି
ଜିତି କି ବି ହାରିଥାଏ
ଆତ୍ମାର ଉତ୍ତୁଙ୍ଗ କେଶରୀ ॥
ହେ ମୃତ୍ୟୁ
ତୁ ପୁଣି ତ୍ରିପୁର ବିଜୟୀ, ଅପରାଜେୟ
ମୂଲ୍ୟହୀନ ତୋ ପାଶେ
ସ୍ଥାନ, କାଳ, ପାତ୍ର ଅଥବା ସମୟ ॥
ସୁଖ ବା କି ମିଳେ ଭୀରୁପଣରେ
ଏଇ କଣ ବୀରତ୍ୱ
ଉହାଡରେ ଆସି ଆକ୍ରମଣ କରୁ
ଦୁର୍ବଳ, ବିବଶ ଅବା ଅସହାୟ କ୍ଷଣରେ ॥
କାଳଜୟୀ ପରା ; କେ ବା ତୋର ପ୍ରତିସମ
କାହିଁକି ବୁଣୁ ଛନ୍ଦ କପଟର ଚକ୍ରବ୍ୟୁହ
କାପୁରୁଷର ମିଥ୍ୟା ଫୁଟାଣି
କର୍ମକ୍ଷେତ୍ରର ବାଟ ଓଗାଳି
କଢେଇନେଉ ମଶାଣି ॥
ପଦଧ୍ୱନିରେ ତୋର
ବିପଦର ଘଣ୍ଟି ; ଜ୍ୱାଳା ବି ନିର୍ମମ
ଅମରର କୀର୍ତ୍ତି ଛାଡି
ହାରିଯାଏ ପରାକ୍ରମୀ ବିକ୍ରମ ॥
