ହେ ମହାନ ସାହିତ୍ୟ ଚୌର
ହେ ମହାନ ସାହିତ୍ୟ ଚୌର
କିବା ଲାଭ ତୁମେ ପାଇଲ ବଦେଶୀ ସାହିତ୍ୟକୁ ଚୋରି କରି
ପ୍ଲାଗାରିଷ୍ଟ ଆଖ୍ୟା ବରିଲ ଓଡ଼ିଆ ଭାଷା ଯାଇଥାନ୍ତା ମରି !!
ଷଡଯନ୍ତ୍ର କରୁଥିଲେ ପଡୋଶିଏ ମାରିବା ପାଇଁ ଏ ଭାଷା
ଯୁଦ୍ଧଂଦେହୀ ରାଧା ମଧୁ ଫକୀରଂକ ତ୍ରିବେଣୀ ସଂଗମ ଯଶା।
ଅଷ୍ଟାଦଶ ଶଦି ଅଠଚାଳିଶ ସାଲ ଧରାବତଣ ତବ
ଉନ୍ନବିଂଶ ସାଲ ଅଷ୍ଟ ବରଷରେ ତ୍ୟାଗ କଲ ଏହି ଭବ।
ଜନ୍ମେ ବଂଗ ଭାଷୀ କରମ ଭୂମିକୁ ଆଦରିଲ ଶ୍ରଦ୍ଧା ଭରେ
ଭାଷା ରକ୍ଷା ପାଇଁ ସାରଥୀ ସାଜିଲ ଅଦୃଶ୍ୟର ନିର୍ଦେଶରେ।
'ଉଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟ' ପ୍ରତିବାଦ କରି
ଲେଖନୀ ଚାଳିଲ ଶାଣିତ ସ୍ୱରରେ ସତେ ଅବା ତରବାରୀ !
ସୁନ୍ଦର ନାରାୟଣ ତାରିଣୀ ସମ୍ଭୁତ ସୋର ମାଟି ଧନ୍ୟ କରି
କେଦାରପୁରର କୋଦଣ୍ଡ ଧର ହେ ଶିକ୍ଷା ବିଭାଗେ ଚାକିରୀ।
ଶଗଡ଼ରେ ବୁଲି ଓଡ଼ିଶା ଦର୍ଶନ ଭୂଗୋଳକୁ ଭଲେ ଚିହ୍ନି
ବିଦେଶୀ କାହାଣୀ ରୋପି ଦେଲ କାବ୍ୟ ସମ୍ଭାର ଆପଣା ମଣି।
ବଳାଂଗି ତଟର ଉଷା ମେଢ଼ ହେଲା ବାଣାସୁର ରାଜଧାନୀ
ଜନ୍ମ ମାଟି ବାଲେଶ୍ୱର ପ୍ରେମ କଲା ଲେଖନୀକୁ ଓଜସ୍ୱିନୀ।
ନନ୍ଦିକେଶ୍ୱରୀ' ଉଷା' ଚନ୍ଦ୍ରଭାଗା' ମେଘଦୂତ' ମହାକାବ୍ୟ
ଓଡ଼ିଶା ଭୂଗୋଳେ ସଂସ୍ଥାପିତ କରି ପ୍ରକାଶିଲ ଦିବ୍ୟ ଭବ୍ୟ।
ଚିଲିକା' ପାର୍ବତୀ' ଯଯାତି କେଶରୀ' ତୁଳସୀ ସ୍ତବକ' କଥା
ମହାଯାତ୍ରା ମହାକାବ୍ୟ ଦରବାର' ପ୍ରଚଣ୍ଡ ବ୍ୟଂଗର ଗାଥା।
ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନି ଅମ୍ବୁ
ଚିଲିକା' ବର୍ଣ୍ଣନା ବିଦେଶ ଆଗତ ପକ୍ଷୀ ସଜା ଯେହ୍ନେ ତମ୍ବୁ।
ରଚିତ ସାହିତ୍ୟ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ପାଇଁ
ଭାଷା ରକ୍ଷା ଲାଗି କି ଅସାଧ୍ୟକୁ ସାଧ୍ୟ କରି ଅଛ ରାୟ ସାଇଁ।
ଭାରତ ଗୀତିକା ତବ 'ସର୍ବେସାଂ ନୋ ଜନନୀ ଭାରତ'
ସର୍ବ କାଳ ଶ୍ରେଷ୍ଠ ଜାତୀୟ ସଂଗୀତ ଏଦେଶର ଅଘୋଷିତ।
ଇଂରେଜ ସର୍କାର ଯାଚି ଦେଇଥିଲେ ରାୟ ବାହାଦୁର ପଦ
ଆନ କିଏ ଅବା ହୋଇଥିଲେ ଗ୍ରାସିଥାନ୍ତା କ୍ଷମତାର ମଦ।
ରାୟ ବାହାଦୁର ଉପାଧି କି ଲାଭ ତୁମେ ପରା କବିବର
କବି ଠାରୁ ବଡ଼ କେ ଅଛି ଜଗତେ ପୁଜା ପାଏ ସରବତ୍ର !!
ଅଭାଗା ଏ ଜାତି ଅସ୍ମିତା ସ୍ମରଣେ ହୁଏ ନାହିଁ ପୁଲକିତ
ପୂଜ୍ୟ ପୁଜା ପ୍ରତି ତିଳେ ଶ୍ରଦ୍ଧା ନାହିଁ କାହୁଁ ହେବ ବିକଶିତ !!
କବିବର ବାରେ ସ୍ୱଦେହରେ ଆସ ଭାଷାର ସୁରକ୍ଷା ପାଇଁ
ସଂସ୍କୃତର ସର୍ବ ନିକଟତର ଏ ଭାଷା କି ବଂଚିବ ନାହିଁ !!
ବି. ଦ୍ର: ବଳାଂଗୀ (ବୁଢା ବଳଂଗ ନଦୀ)
ଇଷା ମେଢ଼(ସୁନହଟର ଏକ ସ୍ଥାନ, ଉଷା କାବ୍ୟର ଭିତ୍ତି)
ପ୍ଲାଗାରିଷ୍ଟ(ସାହିତ୍ୟ ଚୌର)
