STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ହେ ମହାଦେବ

ହେ ମହାଦେବ

1 min
1.0K


ହେ ମହାଦେବ, ନିଜେ ବିଷ ପିଇ

ଅମୃତ ବାଣ୍ଟିଲ ଦେବଗଣେ

ଆସି ଦେଖ ଅଛି କି ସେ ଅମୃତର ସତ୍ତା,

ଅମୃତ ସନ୍ତାନ ଆଜି ପଥଭ୍ରଷ୍ଟ

ମୃତ୍ୟୁର ତାଣ୍ଡବ ରଚେ ମୃତ୍ୟୁଞ୍ଜୟ କୁଳ

ତ୍ରିନେତ୍ରୀ ସନ୍ତାନ ଏବେ ଅନ୍ଧ ହୋଇ କରେ ଆତ୍ମହତ୍ୟା।


ମୋର ଅମୃତର ଆବଶ୍ୟକ ନାହିଁ

ମରି ମରି ଜିଇଁବାର ଆକାଂକ୍ଷା ମୋ ନାହିଁ

ହେ ନୀଳକଣ୍ଠ ଦିଅ ଏତିକି ଆଶିଷ,

ହଳାହଳ ହତୋତ୍ସାହ ନକରୁ ହେ ମୋତେ

ପଙ୍କରେ ବି ଫୁଟୁଥାଏ ପଙ୍କଜ ସଦୃଶ

ଶିକ୍ଷା ଦିଅ ବଞ୍ଚିବାକୁ ପିଇ ପେଟେ ବିଷ।


ପଥେ ପଥେ ପଦେ ପଦେ କଣ୍ଟାର ଆଘାତ

ହସ୍ତ ପଦ ଆଣ୍ଠୁ ଗଣ୍ଠି ହୁଏ ରୁଧିରାକ୍ତ

ପ୍ରାଲବ୍ଧ ଓ କର୍ମଫଳ କେତେ ବାଧାବିଘ୍ନ,

କୋଳେଇ ନିଅ ହେ ପିତା

ବାପଥିଲା ପୁଅ ପରା ସଭାରେ ହାରେନା

କର ମୋତେ ବିଘ୍ନ ବିନାଶକ, ଗଣେଶ ମୁଁ ତୁମରି ସନ୍ତାନ।


କ୍ଷଣେ କ୍ଷଣେ ପ୍ରତି କ୍ଷଣେ ଭୟ ପାଦ ଶବ୍ଦ

କରେ ମୋତେ କେତେ ଆଶଙ୍କିତ

ତୁମ ଛଡ଼ା ଅଭୟ ଦେବା ପାଇଁ ଆଉ କିଏ କାହିଁ,

ହେ ଶିବ ଭୂଜଙ୍ଗଧର

ପଦ୍ମ ତୋଳା ମନ୍ତ୍ର ଗୋଟି ଦିଅ ହେ ଶିଖାଇ

ନିଡର ଅଭୟ ହୁଏ ସର୍ପକୁ ବି ବେକରେ ଗୁଡେଇ।


କିଏ ଏଠି ପର ପୁଣି କିଏ ଆପଣାର

ନିଜର ବି ଲାଗେ କେବେ ସବୁଠାରୁ ପର

ସର୍ବଙ୍କୁ ମୁଁ ମଣୁଥାଏ ସର୍ବଦା ନିଜର,

ନଶ୍ବର ଶରୀର ପୁଣି ଭଙ୍ଗୁର ଦୁନିଆଁ

ହେ ମହେଶ ସ୍ମଶାନ ନିବାସୀ

ସ୍ମଶାନ ବୈରାଗ୍ୟ ଶିକ୍ଷା ଦିଅ ହେ ସତ୍ବର।


ଭବ ମହା ତାପ ଏବଂ ସଂସାର ଚାପରେ

ହୋଇଲିଣି ବାଉଳା ଚାଉଳା

ବୁଦ୍ଧି ହୁଏ ଭ୍ରମ ମନ ହୁଅଇ ଅସ୍ଥିର,

ଉଦୟ ହୁଅ ହେ ମୋର ମନ ଗଗନରେ

ମତି ହେଉ ଶୀତଳ, ଶାନ୍ତ ଏବଂ ଆଲୋକିତ

ସୁଦୟା ଏତିକି କର ଶଶାଙ୍କ ଶେଖର।


ତମୋଗୁଣ ସାର ହୁଏ ମାନବ ଚରିତ୍ର

ମନେ କାମ କ୍ରୋଧ ଲୋଭ ନୁହଁଇ ବିଚିତ୍ର

ମଥାରେ ପ୍ରବାହିତ ହେଉଥାଉ ଜ୍ଞାନ ଗଙ୍ଗା,

ହେ ମହାଦେବ ଗଙ୍ଗାଧର

ପତିତପାବନ ପରା ତୁମ୍ଭ ଅନ୍ୟ ନାମ

ଗଢିତୋଳ ଆଉଥରେ ଏ ସଂସାର ଭଙ୍ଗା।


© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ପୋଖରୀପୁଟ, ଭୂବନେଶ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍