ହେ ମହାବାହୁ
ହେ ମହାବାହୁ
ଅନାଥ ସଜେଇ କି ଲାଭ ପାଇଲ
କୁହ ଆହେ ସୃଷ୍ଟିକର୍ତ୍ତା
ବେସାହାରା କରି କି ଶାନ୍ତି ପାଉଛ
ଉତ୍ତର ଦିଅ ବିଧାତା ।
ସଧବା ମଥାରୁ ସିନ୍ଦୂର ଲିଭାଇ
କେମିତି ହେଉଛ ଖୁସି
ମାଆର କୋଳରୁ ସନ୍ତାନ ହଜେଇ
କେମିତି ଦେଖୁଛ ବସି ।
ବାପ ଥାଉ,ଥାଉ ପୁଅକୁ ନେଉଛ
ବୁଝୁନ କାହାରି ଅଳି
ପ୍ରତି ମୁହୂର୍ତ୍ତରେ ଜୀବନ ଆୟୁଷ
କରୁଥାଏ ଆସି କଳି ।
ତମଗାନ ଯିଏ ଦିନ ରାତି ଭଜେ
ସିଏ ଆଜି ରୋଗାଗ୍ରସ୍ତ
ତମ ପୂଜାପାଠ ନିତି ଯେ କରଇ
ଅକାଳେ ହେଉଛି ମୃତ ।
କଳାକାର ଆଜି ହସି ପାରୁନାହିଁ
ହସୁନି ଆଜି ସମାଜ
ବେନିନେତ୍ରେ ତମେ ଦେଖୁଛ ଦୁନିଆ
କରୁଛ ନିତି ମଉଜ ।
ସକାଳ ସୂରୁଜ ଦେଖିବା ଆଗରୁ
ନେଉଛ ଏ ପ୍ରାଣ ବାୟୁ
ସବୁଦିନ ପାଇଁ ଶୁଆଇ ଦେଉଛ
ତୁମେ ପ୍ରଭୁ ଥାଉ, ଥାଉ ।
ଡାକୁଛି ଆତୁରେ ଅଂଶୁମାନ ଆଜି
ବନ୍ଧନରୁ କର ମୁକ୍ତ
ମହାମାରୀ ଠାରୁ ଦୂରେଇ ରଖହେ
ଆହେ ପ୍ରଭୁ ଜଗନ୍ନାଥ ।