ହେ ଦ୍ଵିତୀୟ ଯାଜ୍ଞସେନୀ
ହେ ଦ୍ଵିତୀୟ ଯାଜ୍ଞସେନୀ
ଶଶାଙ୍କ ଶେଖର ରାୟ
ଜିଁବାର ଯୌବନକୁ ନେଇ
କାହିଁକିବା ବା ସେ ପୂର୍ଣ୍ଣିମା ରାତିକୁ
ବାଡୁଅଁ କୁଆଁରୀ ପରି ଚାହିଁଛ
ବିରହଣୀଟିଏ ସାଜିଅଛ ତୁମେ
ସବୁ ପ୍ରେମିକ ଫାଙ୍କି
ଚାଲିଗଲେଣି ତ ଜୁଆରିଆ ନଈ ପରି ।
ଶ୍ରାବଣ ତ ଚାଲିଯାଇନି
ତୁମ କାଗଜ ଡଙ୍ଗାରେ ପାରି ହୋଇ
ବରଂ ସେ
ନାରୀଟିଏ ହୋଇ ମାପୁଅଛି
ତୁମ ପୁରୁଷତ୍ଵକୁ ।
ନୟନ ବାରେ ଫେଡିଣ ଦେଖ
ତୁମ ଆଡେ ମାଡିଆସୁଛନ୍ତି
କେମିତି ଦଳ ଦଳ ଦୁର୍ଦ୍ଦାନ୍ତ
ଜିଅନ୍ତା ପ୍ରେତ ଗୁଡାକ
ସମୟର ପିରାମିଡ ଆଉ ସ୍ଫିଗସକୁ ତାଡି ।
ଜୟଦ୍ରଥର ବିଜୟ ଟୀକା ନେଇ
ଅଶ୍ଵପେଟ ତଳୁ ମୁଁହ କାଢିଛ କାହିଁକି ?
ତୁମ ଜୀବନର ଶେଷ ପ୍ରହର ପରା
ଆହୁରି ଅନେକ ବାକି ଅଛି ।
ଏମାନେ ତ ମାୟା ମରିଚିକା
ସଜାଇ ଆଜିର ଅର୍ଜ୍ଜୁନମାନେ
ଖୋଜୁଛନ୍ତି ତୁମକୁ ବିଦେଶୀ କୁକୁର ପରି ।
ଫେରିଯାଅ ଫେରିଯାଅ
ତୁମ ଫର୍ଣ୍ଣ କୁଡିଆକୁ
ଆଖିରେ ଏତେ ସ୍ଵପ୍ନ ଦେଖିବାକୁ
ମନା ତୁମ ପାଇଁ
କାହିଁକିନା ପୃଥିବୀଟା ତ ସେମାନଙ୍କର ।
ଲାଲ କାନ୍ଥ ଡେଇଁ ଯାଅନାହିଁ
ସେପଟେ ଯେ ଅଶାନ୍ତ ସାଗର
ଗର୍ଜ୍ଜୁଛି ଲହରାଇ ଲହରାଇ
କୁକୁର କାନ୍ଦଣା ପରି ।
ତୁମ ଆତ୍ମାର ନିଆଁ
ସବୁବେଳେ ଲୁଚକାଳି ଖେଳୁଛି
କୁଡିଆରେ ପଇଁତରା ମାରୁଥିବା
ଅଳସୀ ସୂର୍ଯ୍ୟ ତାରାଙ୍କ ସହିତ
ଏବଂ ମହ ମହ ଶାଗପେଜର ବାସ୍ନା ସହିତ ।
ମସିଆ ଡିବିରୀର ସ୍ଵପ୍ନ ନେଇ
ଜଳିବାକୁ ମନସ୍ଥ କର ନାହିଁ
ତୁମ ବଳିତା ପାଇଁ
ଏଠାରେ କନା ଆଉ କିରୋସିନିର ଅଭାବ ,
ବରଂ
ତୁମେ ପାଲଟିଛ କସ୍ତୁରୀ ମୃଗ
କିମ୍ଵା
ଲେଲିହାନ ପ୍ରଦୀପର ଶିଖା ସମ ଜଳି
ଜାଣନି ତୁମ ଶକ୍ତିର ଖୋରାକି କେତେ ?
ତୁମ ପୃଥିବୀରେ ଯନ୍ତ୍ରଣାର ଝଡ ଆଉ ବାତ୍ୟା
ଏହାତ ଚିରନ୍ତନ ସତ୍ୟ ,
ଯନ୍ତ୍ରଣାର ଯଜ୍ଞକୁଣ୍ଡରୁ ଜନ୍ମ ତୁମର
ସେଥିପାଇଁ ତୁମେ
ପ୍ରତିହିଂସାରେ କେଉଁ ଦ୍ରୁପଦର
ଅପମାନର ପ୍ରତିଶୋଧ ନେବା ପାଇଁ
ଅପେକ୍ଷା କରିଛ
ହେ ଦ୍ଵିତୀୟ ଯାଜ୍ଞସେନୀ
ହେ ଦ୍ଵିତୀୟ।ଯାଜ୍ଞସେନୀ ।
ମୋ -୭୩୭୭୧୯୭୯୯୯
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
