ହେ ବସନ୍ତ ! ଆଖିରେ ଲୁହ କାହିଁକି
ହେ ବସନ୍ତ ! ଆଖିରେ ଲୁହ କାହିଁକି


ଏତେ ସନ୍ତର୍ପଣେ
ଏ ବିକ୍ଷିପ୍ତ ବସବାସେ
କାହିଁକି ଆସୁଛ
ପାଦ ଚିପି ଚିପି ବସନ୍ତ ଆଜି l
କେହି ଦୁର୍ବୃର୍ତ୍ତର
ସମ୍ମୁଖୀନ ହୋଇଯିବ କାଳେ
ସେପରି ଭୟାଳୁ ଦୃଷ୍ଟିରେ
ଚାରିଆଡ ଖେଳାଉଛ ଆଖି l
ସଦା ସୁସଜ୍ଜିତା, ଅନିନ୍ଦ୍ୟା ଗୋ !
ଆଜି ମଳିନ ମୁଖ ମଣ୍ଡଳ
ଯେଉଁଠି ନିତି ପ୍ରତି ଲାବଣ୍ୟ ଝରଇ,
ସେଠି ଏ ଉଦାସୀନତା l
ସତେକି ସେ କରୋନା
ଛଦ୍ମବେଶୀ ରାବଣ ବେଶେ ଆସି
ନେଇଯିବ ତୁମକୁ କି ତା
କୋଭିଡ ରଥରେ ବସାଇ l
ଯଦିବା ଧରିନେବ କପଟେ
ସେ ରାକ୍ଷସ ଦୁରାଚାରୀ
ଆସିବେ ତ ନିଶ୍ଚେ
ବୈକୁଣ୍ଠ ବିହାରୀ ରାମ ବେଶଧରୀ l
ତାଙ୍କ ଶକ୍ତି କଣ ଅଜଣା ତୁମକୁ
ନା ଏ ବିଶ୍ଵରେ ଆଉ କାହାକୁ
ଯେତେ ହେଉପଛେ ଡେରି,
ଆସିବେ ଉଦ୍ଧରିବାକୁ ପାପୀ କବଳୁ l
ଶୋଚନା ନକରି ସୁସଜ୍ଜିତ ହୋଇ
ନିଜ ସୌନ୍ଦର୍ଯ୍ୟ ସମ୍ଭାରେ ହସାଅ ଏଇ ଧରାକୁ
ପୂର୍ବପରି କର ସମ୍ମୋହିତ
କର ବିମ୍ମୋହିତ ଅଙ୍ଗେ ଭରି ଲକ୍ଷେ ସୁଷମାକୁ l