ହେ ଆଷାଢ଼ ତୁମେ ପ୍ରଚ୍ଛଦ ଗାୟିକା
ହେ ଆଷାଢ଼ ତୁମେ ପ୍ରଚ୍ଛଦ ଗାୟିକା
ଆଷାଢ଼ ଫେରିଲା ଶ୍ରାବଣ ଆସିଲା
ସଙ୍ଗେ ନେଇ ମେଘମାଳ,
ବିଚିତ୍ର ଶୋଭାରେ ଶୋଭାମୟୀ ମହୀ
ଖରା ବରଷାର ଖେଳ ।
ଆଷାଢ଼ ଆକାଶେ ସନ୍ଧ୍ୟାରାଗ ହସେ
ସକାଳ ସୁନେଲି ଖରା,
ନାହିଁ ସେ ଆକାଶ ରକ୍ତିମ ପ୍ରକାଶ
ବଉଦେ ଲୁଚନ୍ତି ତାରା ।
ବେଳେବେଳେ ସୂର୍ଯ୍ୟ ପ୍ରଖର କିରଣ
ଅସହ୍ୟ ଯାତନା ଦିଏ,
ପର ମୁହୂର୍ତ୍ତରେ ଅତର୍କିତ ଭାବେ
ଶ୍ରାବଣ ଭିଜାଇ ଦିଏ ।
ଶ୍ରାବଣୀର ମୃଦୁ ମହ୍ଲାର ସୁରରେ
ମାଳ ମାଳ ମେଘମାଳା,
ମେଘ ମହ୍ଲାର ରାଗର ରାଗିଣୀ
କରେ ମନ ମତୁଆଲା ।
ବାର ମାସେ ତେର ପରବ ଆମରି
ଓଡିଶା ପାର୍ବଣ ଭୂଇଁ,
ଶିବ ଉପାସକ ଭକତ ପ୍ରେମିକ
ଶିବ ମନ୍ଦିରକୁ ଯାଇ ।
ଭୋଳା ମହେଶ୍ୱରେ ପ୍ରଣତି ବାଢ଼ନ୍ତି
ନିତି ନିତି ସୋମବାର,
ହେ ଶିବ ଶଙ୍କର ଆରାଧ୍ୟ ଈଶ୍ୱର
ସନ୍ତାନେ ମଙ୍ଗଳ କର ।
ଧରମ କରମ ମାସଟି ଶ୍ରାବଣ
ଚାଷୀ ଭାଇଙ୍କର ପ୍ରିୟ,
ପଶୁ ପକ୍ଷୀ ଆଉ ସ୍ଥାବର ଜଙ୍ଗମ
ସକଳଙ୍କୁ ଶୁଭମୟ ।
ଶ୍ରାବଣୀ ଲୋ, ଆମ ଅଗଣା ମଣ୍ଡିଲୁ
କୁଳ ଭୁଆସୁଣୀ ସାଜି,
ତୋ'ପଦ ପରଶେ ତରୁ ଲତା ହସେ
ଗୀତ ଗାଏ ବନରାଜି ।
ଆସିଲୁ ଆସିଲୁ, ଆସି ଭଲ କଲୁ
ସବୁଜ ଧରା ହସିଲା,
ସପ୍ତରଙ୍ଗୀ ପାଟ ପଣତ ଉଡେଇ
ସୁନ୍ଦରୀ ରାଣୀ ସାଜିଲା ।
ଧନ୍ୟ ଲୋ ଶ୍ରାବଣୀ ତୋ'ଭିଜା ଓଢଣି
ବସୁଧା କୋଳ ମଣ୍ଡିଲା,
ବସୁଧା ହସିଲା ହସ ବାଣ୍ଟୁ ବାଣ୍ଟୁ
ସବୁଜ ରଙ୍ଗ ବୁଣିଲା ।
ପାର୍ବଣ ଭୂଇଁରେ ଧାରା ଶ୍ରାବଣର
ସଙ୍ଗୀତର ସାହାନାଇ,
ବନ ତରୁଲତା ଶୁଣିଲେ ଭିଜିଲେ
ନାଚିଲେ ବିଭୋର ହୋଇ ।
ଶ୍ରାବଣ ତ ସତ୍ୟ ଆଷାଢ଼ ବି ନିତ୍ୟ
ଯାମିନୀ କାମିନୀ ପରି,
ପ୍ରକୃତି ରାଣୀର ଅଲିଅଳୀ କନ୍ୟା
ଦୁହେଁ ଖୁଲଣା ସୁନ୍ଦରୀ ।
ହେ ଆଷାଢ଼ ତୁମେ ପ୍ରଚ୍ଛଦ ଗାୟିକା
ସ୍ୱାଗତିକା ଶ୍ରାବଣୀର,
ଶ୍ରାବଣ ଅପର୍ଣ୍ଣା ତୁମେ ବି ସମ୍ପୂର୍ଣ୍ଣା
ଅନ୍ତରଙ୍ଗ ଅର୍ପଣର ।
ଆଷାଢ଼ ନଥିଲେ ଶ୍ରାବଣର ସତ୍ତା
ସ୍ଥିତି,ଗତି ବ୍ୟତିକ୍ରମ,
ହେ ଆଷାଢ଼ ହେ ଶ୍ରାବଣ,ତୁମେ ଦୁହେଁ
ଅନୁଭବ ଅନୁପମ ।
