ହାଟ
ହାଟ
ଜନଗହଳିରେ ପରିପୂର୍ଣ୍ଣ ହୁଏ
ସପ୍ତାହକେ ଦୁଇ ଦିନ।
କୋଳାହଳରେ ସେ ଫାଟି ପଡୁଥାଏ
ତା ପରେ ହୁଏତ ଶୂନ୍ୟ ।।
ଜୀବନ ଏମିତି କୋଳାହଳ ପୂର୍ଣ୍ଣ
କେତେ ମାସ କେତେ ଦିନ।
ସମୟ ସରିଲେ ସରି ଯାଏ ସବୁ
ତା ପରେ ହୁଏତ ଶୂନ୍ୟ ।।
କିଣା ବିକା ହୁଏ କେତେ ଯେ ପଦାର୍ଥ
ଖାଦ୍ୟ ହଉ ଅବା ଶିକ୍ଷା ।
ନିଜ ନିଜ ପାଇଁ କିଣନ୍ତି ବିକନ୍ତି
ସଭିଏଁ ହୁଅନ୍ତି ଦେଖା।।
ସତ ମିଛର ଏ ଜୀବନ ସଉଦା
କେତେଟା ମୁହୂର୍ତ୍ତ ପାଇଁ।
ସ୍ୱାର୍ଥ ସର୍ତ୍ତେ ତାକୁ ବାନ୍ଧି ଦିଅ ନାହିଁ
ସଭିଙ୍କୁ ଆଦରି ନେଇ।।
ସକାଳରୁ ସନ୍ଧ୍ୟା ଗହଳି ଚହଳି
ତାପରେ ହୁଏ ନିଶ୍ଚଳ।
ଦେଖି ବାକୁ ଥରେ କେହି ଆସେ ନାହିଁ
ତା ନିଶ୍ଚଳ ପଣର ଦୁଃଖ।।
ସ୍ୱାର୍ଥ ଥିବା ଯାଏ ସମସ୍ତେ ଆସନ୍ତି
ସ୍ୱାର୍ଥ ସରି ଗଲେ ନାହିଁ।
ଜୀବନ ପଥରେ ଏକାକୀ ଆସିଛୁ
ଏକାକି ଫେରିବୁ ତୁହି।।
"ହାଟ ପରି ଏଠି ଜୀବନର ବାଟ
ଅଢ଼େଇ ଦିନିଆ ପରା ।
କୋଳାହଳରେ ସେ ପୁରି ରହିଥାଏ
କେତେଟା ମୁହୂର୍ତ୍ତ ପରା"।।
