ହାତମୁଠାରୁ ଖସିଯାଉଥିବା ମୁହୂର୍ତ୍ତ
ହାତମୁଠାରୁ ଖସିଯାଉଥିବା ମୁହୂର୍ତ୍ତ
ହାତମୁଠାରୁ ଖସି ଯାଉଥିବା ମୁହୂର୍ତ୍ତ ସବୁ
ଜଣା ପଡେନାହିଁ କେତେବେଳେ ଚାଳିସିଆ
ସଂକ୍ରମଣ କରେ ବୟସକୁ,
କେବେ ପରଳ ମାଡ଼େ କ୍ରମଶଃ.... ଆଖିରେ !
ଖୁବ୍ ବ୍ୟାକୁଳ ହୁଏ ମନ,
ପୂର୍ବପରି ସ୍ପଷ୍ଟ ଦେଖିବାକୁ ।
ଚିହ୍ନିବାକୁ ଯେତେସବୁ ଆତ୍ମୀୟ ଦୃଶ୍ୟ,
ପୁରୁଣା ଆଲବମ ଆଉ ପୁରୁଣା ଚିଠିର ଅକ୍ଷରରେ ଭେଟିବାକୁ ପ୍ରିୟ ମଣିଷର ମୁହଁ,
ଗଣିବାକୁ ଦୂର ଗଗନର ପକ୍ଷୀର ଡେଣା,
ପରଖିବାକୁ ଦୂର ପାହାଡ଼ର ବିଚିତ୍ରରଙ୍ଗ,
ଆକାଶର ବିବିଧତା,
ଆଖିକୁ ଯଥା ସମ୍ଭବ ବିସ୍ଫାରି
ପଢିବାକୁ ମେଡ଼ିସିନ ଖୋଳରେ ଏକ୍ସପାରି ଡେଟ !
ଅନୁଭବି ହୁଏନାହିଁ,
ହୁବ ହୁ ସଫେଦ୍ ହେଉଥିବା ମଥାର କେଶ,
କପାଳର ସଙ୍କୁଚିତ ରେଖା କି ମୁହଁରେ ପଡୁଥିବା
ନିଷ୍ଠୁର ଭଙ୍ଗ, ଆଖିତଳ କଳାଦାଗ,
ରୁକ୍ଷଚର୍ମ,ଶିରାଳ ହସ୍ତର କର୍କଶ ପାପୁଲି,
ପୁଣି ଶୁଖିଲା, ରଂଗହୀନ ଓଠକୁ !
ମନ କିନ୍ତୁ ଡାକେ ଅହରହ,
ଆହାଃ,ବରଫ ପାଲଟି ଯାଆନ୍ତାନି ସମୟ ଏଇଠି,
ହାର ମାନନ୍ତାନି ସମସ୍ତ ପାରିଲାପଣ ନିକଟରେ,
ନା ତରଳନ୍ତା,
ନା ଆଗକୁ ବଢ଼ନ୍ତା !
ଜଣାବିପଡେନି,କେତେବେଳେ ନିସ୍ତେଜ ଶରୀର ସହିତ ମନରବି ଲୋଡ଼ାପଡ଼େ ଅନ୍ୟର ସାହାରା ।
ଉଧାର କରା ଚକ୍ଷୁ ନେଇ ଚାଲିବାକୁ ହୁଏ
ପଡ଼ି ଉଠି ଜୀବ ଥିଲାଯାଏ ।
ଦେଖୁଦେଖୁ ଆଖି ସାମ୍ନାରେ ବଦଳିଯାଏ ସବୁକିଛି,
ଖୁବ୍ ପଛରେ ରହିଯାଏ, ସ୍ୱପ୍ନିଳ ସଂସାର,
ଅର୍ଜିଥିବା/ଭୋଗିଥିବା ସୁଖ ସୌଭାଗ୍ୟ ଯେତେ ।
ଲାଗେ,ସବୁ ଯେମିତି ଥିଲା ଅତି ପାଖରେ ଏଇଠି କୋଉଠି !!
କୁଆଡ଼େ ଗଲା ?
କାଇଁ, କିଛି ଦିଶୁନିତ ?
କେହି/କିଛିବିତ ନାହିଁ ହାତ ପାହାନ୍ତାରେ ??
ଯାହାକୁ ମୁଁ ମୋ'ର,କେବଳ ମୋ'ର,
ଏ ସବୁ ମୋ'ର ବୋଲି କହି,
ମୁଠେଇ ଧରିଥିଲି ଜୋର୍ ରେ.....
ଖୁବ୍ ଜୋର୍ ରେ.....!!!
