ହାତ ମୁଠାରେ
ହାତ ମୁଠାରେ
ହାତ ମୁଠାରେ ଉଜୁଡ଼ା ସମ୍ପର୍କର ଡୋର
ଧିରେ ଧିରେ ଖସିଯାଏ
ବାନ୍ଧିବାକୁ ଯେତେ ହାତ ଟାଣ କରୁଥାଏ
ଧିରେ ସେ ମୁକୁଳି ଯାଏ ।
ରାତି ଅଧାକୁ ଆଖିରେ ଆଖିଏ ସପନ
ଅନ୍ଧାରେ ବାଟବଣା ହୁଏ
ବାସ୍ତବତା ଆସି ସୁନେଲି ସପନ ଗୁଡ଼ାକୁ
ସକାଳ କିରଣେ ଭସେଇ ଦିଏ ।
ଅନ୍ୟ ପାଇଁ ଓଠରେ ଚେନାଏ ହସ
ଫୁଟେଇବାକୁ ଯେବେ ଚାହେଁ
ଲୁହ ଦୁଇଟୋପା ଓଠ ଯାଏଁ ନିଗାଡି
ଓଠରେ ହସକୁ ବୁଡ଼େଇ ଦିଏ ।
ଅଜଣା ଭୟକୁ ଛାତିରେ ସାଇତି
ଯେବେ ମୁଁ ନିରବୀ ଯାଏ
ସମୟ ମାଡ଼ରେ ଆହତ ହୋଇ
ଅନେକ ଚିତ୍କାର କରୁଥାଏ ।
ହାତ ପାହାନ୍ତା ଖୁସି ସତେ ମରୁବାଲି
ମୁଠାରୁ ଅପସରି ଯାଏ
ବିନା ଦୋଷେ ଦୋଷୀ ସାବ୍ୟସ୍ତ କରାଇ
ଅନେକ ଦଣ୍ଡ ଯନ୍ତ୍ରଣା ଦିଏ ।
ମୃତ୍ୟୁକୁ ବରଣ କରିବାର ଇଚ୍ଛା ଯେବେ
ମନକୁ ଆନ୍ଦୋଳିତ କରାଏ
ବଞ୍ଚିବାର ମୋହ ଦ୍ୱନ୍ଦ ମାୟାରେ ମୋହିତ
ଭାବନାରୁ ଦୂରେଇ ଦିଏ ।