ଗୁରୁଦେବ ନମସ୍ୟ
ଗୁରୁଦେବ ନମସ୍ୟ


ଗୁରୁ ଜ୍ଞାନ ଦାତା ପଥ ପ୍ରଦର୍ଶକ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ।
ଗୁରୁ ପରଂବ୍ରହ୍ମ ଜ୍ଞାନର ଆଲୋକ
ସାକ୍ଷାତ ପରମେଶ୍ୱର ।୧।
ଜ୍ଞାନ ଗନ୍ତାଘର ଦୟାର ସାଗର
ସ୍ନେହ ଶ୍ରଦ୍ଧାର ଝରଣା ।
ହୃଦୟ ତାଙ୍କର ପ୍ରେମର ମନ୍ଦିର
ନାହିଁ ଛଳ ପ୍ରତାରଣା ।୨।
ଜ୍ଞାନ ଆଲୋକରେ ଅଜ୍ଞାନ ତମସା
ଅନ୍ତରରୁ ଦୂର କରି ।
ବିବେକ ବିଚାର ହୃଦେ ଶିଷ୍ଟାଚାର
ଦେଇଥାନ୍ତି ଗୁରୁ ଭରି ।୩।
ଯୁଗେ ଯୁଗେ ଗୁରୁ ଶିଷ୍ୟ ପରମ୍ପରା
ସଂସାରରେ ପ୍ରଚଳିତ ।
ଗୁରୁ ବିନା କେହି ଜ୍ଞାନ ପାଇନାହିଁ
ଗୁରୁଦ୍ରୋହ ମହାପାପ ।୪।
ଆଦ୍ୟଗୁରୁ ମାତା ପିତା ହିଁ ଅଟନ୍ତି
ଦ୍ଵିତୀୟରେ ଶିକ୍ଷାଦାତା ।
ତୃତୀୟରେ ଦୀକ୍ଷାଗୁରୁଙ୍କର ସ୍ଥାନ
ଦିଅନ୍ତି ଈଶ୍ୱର ଦୀକ୍ଷା ।୫।
ବିଶ୍ୱ ବ୍ରହ୍ମାଣ୍ଡରେ ସକଳ ପିଣ୍ଡରୁ
ଭିନ୍ନ ଭିନ୍ନ ଶିକ୍ଷା ମିଳେ ।
ସର୍ବେ ଗୁରୁ ଶିଷ୍ୟ ପ୍ରକାର ଭେଦରେ
ପୂଜ୍ୟ ଗୁରୁ ସଦାବେଳେ ।୬।
ଗୁରୁ ଗୁଣମୁକ୍ତ ଗୁରୁ ନିରାକାର
ଅନ୍ଧାରେ ଆଲୋକ ଶିଖା ।
ଗୁରୁଙ୍କ କୃପାରେ ସର୍ଵ ସିଦ୍ଧି ହୁଏ
ଈଶ୍ୱର ଦିଅନ୍ତି ଦେଖା ।୭।
ଗୁରୁଙ୍କ ଚରଣେ ଲୟ ରଖିଥିଲେ
ସାଧନାରେ ମିଳେ ସିଦ୍ଧି ।
ସମସ୍ତ କର୍ମରେ ସଫଳତା ମିଳେ
ଗୀତାରେ ବର୍ଣ୍ଣିତ ବିଧି ।୮।
ବିଷ୍ଣୁ ଅବତାରେ ବ୍ୟାସଦେବ ଜନ୍ମ
ପରାଶର ଔରସରୁ ।
ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ
ସତ୍ୟବତୀଙ୍କ ଗର୍ଭରୁ ।୯।
ବ୍ୟାସଦେବଙ୍କର ଜନମ ଦିବସ
ଦିନଟି ଗୁରୁ ପୂର୍ଣ୍ଣିମା ।
ଗୁରୁଙ୍କ ପୂଜାରେ ଶୁଭ ଫଳ ମିଳେ
ଲଭି ଗୁରୁଙ୍କ ମହିମା ।୧୦।