ଗୁରୁବାରିଆ କବିତା
ଗୁରୁବାରିଆ କବିତା
ପକ୍ଷୀ ଡେଣାରେ ଚଳଚଞ୍ଚଳ
ଗୋଟେ ଅଳସ ସକାଳ
ଅବିଚଳିତ ସ୍ଥିରତା ଭୋଗିଥିବା ଭାରାକ୍ରାନ୍ତ ରାତି ,
ନିରଂଜନା..ତୁମେ କବାଟ ଖୋଲିଲଣି ସାଥୀ...?
କୂଳ କିନାରା ଆଖି ପାଉନଥିବା ସମୁଦ୍ର
ବ୍ୟର୍ଥ ପ୍ରୟାସ ବାନ୍ଧି ରଖିବାକୁ ସୂର୍ଯ୍ୟୋଦୟ
ଦେଖ
କ୍ଷତାକ୍ତ ଠେକୁଆଟି ଡିଆଁ ମାରି ଉଠୁଛି
ଦୋଦୁଲ୍ୟ ଛାତିର ,
ନିରଂଜନା..ତୁମେ ବିଛଣା ଭାଙ୍ଗିଲଣି ରାତିର...?
ନବବିବାହିତା ସୁନ୍ଦରୀ
ଅସଂଜତ ସିଂଦୁର ଲେପିଦେଲା କିବା ଆକାଶ ମୁହଁରେ
ଦେଖ
ଝରି ପଡୁଛି ମହମ ଦେହରୁ ଲାଲ୍ ଶାଢୀ କାନି ,
ନିରଂଜନା..ତୁମେ ଦାଣ୍ଡ ଦୁଆର ଗୋବର ଲେପିଲଣି...?
ନା...?
ତୁମେ କେମିତିକା ବୋହୂ ,
ଏଯାଏଁ ଶିଖିପାରିଲନି ଗୋଟେ ଅଳସ ରାତ୍ରୀର ବିଦାୟ ସଂଗୀତ..!?
ଏଇ ନିଅ
ପିନ୍ଧି ପକାଅ ମୋ ମା'ର ହସହସ ମୁହଁ ,
ଶିଖିଯିବ ବଳେ
ରାତିକୁ ଦିନ କରିବାର ମନ୍ତ୍ର
କି ଖରା ବର୍ଷା ଶୀତ କାକର ହେମନ୍ତ ବସନ୍ତ..!!