ଗୁରୁ
ଗୁରୁ
ଗୁରୁ ଶିକ୍ଷା ଦାତା ଗୁରୁ ମୁକ୍ତି ଦାତା
ଗୁରୁ ସାକ୍ଷାତ ଇଶ୍ବର,
ଗୁରୁ କୃପାବିନା ଜୀବନଟା ଶୂନା
ଗୁରୁ ଚଳନ୍ତି ଠାକୁର ।
ସମସ୍ତ ଶିର୍ଷ୍ୟଙ୍କ ଆଦ୍ୟ ଗୁରୁ ମାତା
ସାରା ବିଶ୍ବରେ ପୂଜିତ,
ତାଙ୍କ ପରେ ସିନା ଅନ୍ୟ ଗୁରୁଜନ
ଦେଖାନ୍ତି ଉତ୍ତମ ପଥ ।
ଅନ୍ଧକାରେ ଗୁରୁ ଦେଖାନ୍ତି ଆଲୋକ
ଦିଅନ୍ତି ଉତ୍ତମ ଶିକ୍ଷା,
ଗୁରୁଙ୍କର ଜ୍ଞାନ ସଦା ସହଯୋଗୀ
ବିପଦୁ କରଇ ରକ୍ଷା ।
ଗୁରୁଠାରୁ ଶ୍ରେଷ୍ଠ ନୁହେଁ କେ ଜଗତେ
ସବୁଠାରେ ପୂଜାପାନ୍ତି,
ସଂସାର ପଥରେ ବାଟ ଚାଲିବାକୁ
ନୀତି ଶିକ୍ଷା ଦେଉଥାନ୍ତି ।
ଗୁରୁ ଶିଷ୍ୟଙ୍କର ମଧୁର ସଂପର୍କ
ଜ୍ଞାନର କରେ ପ୍ରକାଶ,
ନୂତନ ଜ୍ଞାନର ଉତ୍ପତ୍ତି ଫଳରେ
ସମାଜେ ହୁଏ ବିକାଶ ।
ସତ୍ୟ, ଶାନ୍ତି, ଦୟା, କ୍ଷମା, ଭକ୍ତି୍ ପ୍ରେମ
ସ୍ନେହ, ଶ୍ରଦ୍ଧା, ଆତ୍ମୀୟତା;
ସକଳ ତଥ୍ୟର ଶିକ୍ଷା ଦେଇ ଗୁରୁ
ଫେଡନ୍ତି ସକଳ ଚିନ୍ତା ।
ଗୁରୁ ବିନା ଜ୍ଞାନ ନୁହେଁ ତ ସମ୍ଭବ
ଅଟଇ ସତ୍ୟ ବଚନ,
ଗୁରୁଙ୍କ ବଚନ ନକଲେ ପାଳନ
ଦୁଃଖରେ ବିତଇ ଦିନ ।
ଗୁରୁ ସିନା ଶାନ୍ତି, ଗତି,ମୁକ୍ତି ଦାତା
ଚାରିଯୁଗେ ପୂଜାପାନ୍ତି,
ଗୁରୁକୃପା ହେଲେ ସଂସାର ଯୁଦ୍ଧରେ
ବିଜୟ ଲାଭ କରନ୍ତି ।
ପଥ ପ୍ରଦର୍ଶକ ଗୁରୁ ସେ ଅଟନ୍ତି,
ଦେଖାନ୍ତି ପୁଷ୍ପିତ ପଥ,
ସମସ୍ତ ଶିକ୍ଷାକୁ ପ୍ରଦାନ କରନ୍ତି
ଦେଇଥିଲେ ଭକ୍ତିଚିତ୍ତ ।
ଗୁରୁ କରିଥାନ୍ତି ସଂଙ୍କଟୁ ଉଦ୍ଧାର
ତାଙ୍କ ପାଦେ ଥିଲେ ଭକ୍ତି,
ଆଦରରେ ଶିକ୍ଷା ଗ୍ରହଣ କରିଲେ
ମିଳଇ ଜଞ୍ଜାଳୁ ମୁକ୍ତି ।
ସଂସାର ସାଗରେ ଜୀବନ ନଉକା
ନାବିକ ଗୁରୁ ଅଟନ୍ତି,
ଜ୍ଞାନର କାତରେ ପାରିକରି ନେଇ
କୂଳରେ ନେଇ ଛାଡନ୍ତି ।
ଗୁରୁଙ୍କ ଆଶିଷ ବିନା ଏ ସଂସାରେ
ମିଳେନା ଜ୍ଞାନର ସିଦ୍ଧି,
ଯୁଗଯୁଗ ଧରି ପ୍ରଚଳିତ ତେଣୁ
ଗୁରୁଙ୍କର ପୂଜା ବିଧି ।