ଗୁରୁ ସତ୍ୟ ଶିବ ସୁନ୍ଦର
ଗୁରୁ ସତ୍ୟ ଶିବ ସୁନ୍ଦର
ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର
ପରଂବ୍ରହ୍ମ ଅଣାକାର
ଗୁରୁ ଯେ ଅଟନ୍ତି ଆଲୋକର ଉତ୍ସ
ସତ୍ୟ ଶିବ ଓ ସୁନ୍ଦର ।୧।
ଗୋବିନ୍ଦ ଠୁଁ ଶ୍ରେଷ୍ଠ ଅଟନ୍ତି ଯେ ଗୁରୁ
ସାକାର ରେ ନିରାକାର
ବେଦ ବେଦାନ୍ତରେ ଗୁରୁଙ୍କ ମହିମା
ତତ୍ତ୍ୱ ନିହିତ ଅପାର ।୨।
ଗୁରୁଙ୍କ ଆଶୀଷ ମଥାପରେ ଥିଲେ
ପଙ୍ଗୁ ଲଂଘେ ପାରାବାର
ଜୀବନ ର ଗତି ବଦଳେ ଅଚିରେ
ମୋକ୍ଷ ଲଭିଥାଏ ନର ।୩।
ସକଳ ସାଧନା ଫଳବତୀ ହୁଏ
ଗୁରୁଙ୍କର ଆଶୀଷରେ
କୋଟି ପୂଣ୍ୟ ଫଳ ଲଭଇ ମଣିଷ
ଗୁରୁ ଥିଲେ ହୃଦୟରେ ।୪।
ଏକଲବ୍ୟ ଉପମନ୍ୟୁ ଓ ଚାଣକ୍ୟ
ଉଦ୍ଧବ ଓ ପାର୍ଥ ବୀର
ଅବଧୂତ କଲେ ଚବିଶ ଗୁରୁ ଯେ
ହେବା ପାଇଁ ଭବୁ ପାର ।୫।
ଗରୁ ବିନା ଏଇ ଜୀବନ ଅସାର
ତାଙ୍କୁ ସେବିଲେ ଜୀବନେ
ସକଳ ଐଶ୍ୱର୍ଯ୍ୟ ମିଳିଥାଏ ପୁଣି
ଆପଣାର ସନ୍ନିଧାନେ ।୬।
ଗୁରୁଯେ ଅଟନ୍ତି ମଳୟ ପବନ
ସୁବାସ ବିତରି ଦେଇ
କେତେ ଅମାନିଆ ମନତଳେ ଥିବା
ବେଦନା ଦୁର ହୁଅଇ ।୭।
ଗୁରୁପଦ ତଳେ ସବୁ ସୁଖ ଶାନ୍ତି
ବୁଝିଅଛି ସତେ ଯିଏ
ଜୀବନରେ ତାର ହାରିବା ନଥାଏ
ସ୍ୱର୍ଗ ସୁଖ ଲଭି ଥାଏ ।୮।
