ଗ୍ରୀଷ୍ମ ସାୟନ୍ତନ
ଗ୍ରୀଷ୍ମ ସାୟନ୍ତନ
(ରାଗ-କଲ୍ୟାଣ ଆହାରୀ)
ତପନ ତାପ ରେ ତପତ ଧରଣୀ
ଗ୍ରୀଷମ ମଣ୍ଡିଲା ମେଦିନୀ
ଅନଳ ପରାୟ ଦିବାକର କର
ଶୁଷ୍କ ଧାର ହେଲା ତଟିନୀ
ସୁଜନେ, ଦିବସ କ୍ରମେ ବୃଦ୍ଧି ହେଲା
ତପତ ଅନିଳ ହୁତାଶନ ସମ
ସତେ ଅବା ଗାତ୍ର ଦହିଲା ।୧।
ସନ୍ତାପିତ ହେଲେ ପାଦପ ଓ ପ୍ରାଣୀ
ସରିତ ଯେ ଶୁଷ୍କ ହୋଇଲା
ବଇଶାଖୀ ଝାଞ୍ଜି ରୁଦ୍ର ରପେ ବହି
ପରାଣେ ଭୀତି ସଂଚାରିଲା
ସୁଜନେ, ଅସ୍ତରାଗ ରଞ୍ଜି ତପନ
ବାରୁଣୀ ଆଳୟେ ଗମିଲେ ସତ୍ୱର
ଆସଇ ଗୋଧୂଳି ଲଗନ ।୨।
ବିରସ ବଦନେ ଗୋଧନ ସରବେ
ଆଗମିଲେ ନିଜ ସଦନ
ସବୁଜିମା ହୀନ ପ୍ରାନ୍ତରେ ବାଳକେ
କ୍ରୀଡ଼ାରେ ରହିଲେ ମଗନ
ସୁଜନେ, ନବ ବଧୂ ଗଣ ସଧୀରେ
କାଖେ କୁମ୍ଭଧରି ନିର ଆଣିବାକୁ
ଠୁଳ ହେଲେ ସରିତ ତୀରେ ।୩।
ସାରାଦିନ ରହି ଆପଣା ର ନୀଡେ
ବିହଗେ କଷ୍ଟ ଭୋଗୁ ଥିଲେ
ଗୋଧୂଳି ଲଗନେ ନୀଡ ରୁ ବାହାରି
କ୍ଷଣେ କେକାରବ କରିଲେ
ସୁଜନେ , କିଛି କାଳ ଖୁସି ମଗନେ
ବାହୁଡ଼ି ଯାଆନ୍ତି ଆପଣା ର ନୀଡେ
କେମନ୍ତେ ସହାସ୍ୟ ବଦନେ ।୪।
ବକ ପନ୍ତି ମାନେ ମାଳ ମାଳ ହୋଇ
ଉଡିଯାନ୍ତି କେଡ଼େ ଭଙ୍ଗୀରେ
ଶୁଭ୍ର କୁସୁମ ର ମାଳା ଟିଏ ସତେ
ସନ୍ଧ୍ୟା ରାଣୀ ପିନ୍ଧି ଗଳା ରେ
ସୁଜନେ , ନଭ ମଣ୍ଡଳୁ ଓହ୍ଲାଇଲା
ପଲ୍ଲୀ ଅଗଣା ରେ ବୃଦ୍ଧ ବୃଦ୍ଧା ଙ୍କର
ଖୁସି ଗପେ ଦିନ ବିତିଲା ।୫।
ଚଞ୍ଚଳ ହୋଇଲା ପଲ୍ଲୀ ଗ୍ରାମ ସବୁ
ଉତ୍ତାପ କମିଲା ସଧୀରେ
ଗୋଧୂଳି ଲଗନେ ମୁଖରିତ ହେଲା
ଚତୁର୍ଦିଗ ସତେ ଅଧୀରେ
ସୁଜନେ , ଧୀରେ ଧୀରେ ତାପ କମିଲା
ଜୀବ କୁଳ ସବୁ ଆନନ୍ଦିତ ହେଲେ
ସନ୍ଧ୍ୟା କ୍ରମେ ନଇଁ ଆସିଲା ।୬।