ଗ୍ରୀଷମେ ଚନ୍ଦନ
ଗ୍ରୀଷମେ ଚନ୍ଦନ
ଅସମ୍ଭାଳ ଖରା ତାତି ଯାଏ ଧରା ବହଇ ଝାଞ୍ଜି ପବନ
ଶ୍ୟାମ ଦୁର୍ବାଦଳ ମଣ୍ଡିତ ପ୍ରାନ୍ତର ଶୁଷ୍କ ପଣ୍ଡୁର ବିବର୍ଣ୍ଣ
ଶୁଷ୍କ ତରୁ ତୃଣ କରି ଅବସନ୍ନ
ଦାରୁଣ ନିଦାଘ ମହାବଳ ବ୍ୟାଘ୍ର ଜଗିଅଛି ରାତି ଦିନ ।।
ପଲକେ ପଲକେ ରକତ କି ଶୋଷେ ଡାକିନୀ ସମ ଏ ଖରା
ଶୁଖି ଯାଇଅଛି ତଡାଗ ତଟିନୀ ତୃଷା ରେ ଆତୁର ଧରା
ଜଳଇ କାନନ ଜଳେ ଶ୍ୟାମବନ
ଘେରି ରହିଅଛି ନିଆଁର ବଳୟ ଗ୍ରୀଷ୍ମ ଋତୁ ଖରାଦିନ ।।
ମହୁଲ ଫୁଲର ମହୁଲିଆ ବାସ ନିଆଁରେ ଯାଉଛି ଜଳି
ରକତକୁ ଝାଳ କରି ଏ ଜୀବନ ଧୂମବଳୟରେ ପଡି
ଛଟପଟଉଛି ଅସ୍ଥିର ଜୀବନ
ଦୁଃସହ ଏ ତାତି ରବି କର ଜ୍ୟୋତି ପ୍ରଖର ଯେ ଅଗ୍ନି ସମ ।।
କୃଷ୍ଣଚୂଡ଼ା ଦେହେ ଗ୍ରୀଷ୍ମ ଲଗାଇଛି ହୁତାଶନ ନିଆଁ ରଙ୍ଗ
ପଳାଶ ବନରେ ଅନଳ ଜଳଇ ଦିବ୍ୟ ସୌରଭେ ଅଶୋକ
ପ୍ରକୃତିର ଶୁଭ୍ର ମଲ୍ଲିକା ମଣ୍ଡନ
କରେ ଆନମନା ପ୍ରଜ୍ଞା ଜନ ହୁଏ ୟେ ସୌନ୍ଦର୍ଯ୍ୟେ ସମ୍ମୋହନ ।।
ସପୁରୀ,ପଣସ,ଆମ୍ବ,ବେଲ ରସ ତରଭୁଜ ଭେଟି ଦେଇ
ଗ୍ରୀଷମ ଆସିଛି ବିସମ ତା ରୂପ ଜଳ ଶୋଷି ନେବାପାଇଁ
ଆଗାମୀ ବରଷା କୃଷକ ସପନ
ସାକାର କରହେ ଋତୁ ତୁମ କାମ ୟେ ପରା ବିଧିର ବିଧାନ ।।
ଅସହ୍ୟ ଜ୍ଵାଳାରେ ଚନ୍ଦନ ଯାତରା ବୋଳି ହୋଇ ଗୋଳି ଚନ୍ଦନ
ଚାପ ଖେଳୁଛନ୍ତି ଭୂଦେବୀ ଶ୍ରୀଦେବୀ ସଙ୍ଗେ ଘେନି ଜଗ ମୋହନ
ପହିଲି ଆଷାଢ଼ ମେଘର ଉତ୍ପନ୍ନ
କରେ ଗ୍ରୀଷ୍ମ ଋତୁ ତେଣୁ ଏ ମହାନ ଘେନ କବି ଅଭିନନ୍ଦନ ।।
