ଗୃହ ଲକ୍ଷ୍ମୀ
ଗୃହ ଲକ୍ଷ୍ମୀ
ବାପଘର ପାଇଁ ପରୀଟିଏ ତୁ ଲୋ
ଶାଶୁଘରର ଯେ ବୋହୁ
ନାଲି ଶଙ୍ଖା ହସ୍ତେ ମୁଣ୍ଡରେ ଓଢ଼ଣୀ
ମଥାରେ ସିନ୍ଦୁର ନାଉ।
ପାଦ ଥାପି ଥାପି ନଇଁ ନଇଁ କରି
ଧୀରେ ଧୀରେ ଚାଲୁଥିଵୁ
ଶାଶୁ ଶ୍ୱଶୁରଙ୍କୁ ସର୍ବଦା ସମ୍ମାନ
ମଧୁ କଥା କହୁଥିବୁ।
ସକାଳ ସନ୍ଧ୍ୟାରେ ଚଉରା ମୂଳରେ
ବୃନ୍ଦାବତୀ ସୁମରଣା
ଗୃହର ମଙ୍ଗଳ କାମନା ନିମନ୍ତେ
କରିଥାଉ ତୁ ପ୍ରାର୍ଥନା।
ନଣନ୍ଦ ଦିଅର ଭାତୃଭଗ୍ନୀ ତୋର
ଆପଣାର କରୁଥିବୁ
ମନକଥା ଜାଣି ପାଶେ ପାଶେ ରହି
ହୃଦୟକୁ କିଣିନେଵୁ।
ଗୁରୁଜନ ଆଉ ଲଘୁଜନ ସେବା
ସମଭାଵେ କରୁଥିବୁ
ଆତ୍ମ ସନ୍ତୋଷରେ ସେବା କରୁଥିଲେ
ଗୃହଲକ୍ଷ୍ମୀ ଵୋଲାଇଵୁ।
ଶାଶୁଘରେ ବୋହୁ ଗୃହଲକ୍ଷ୍ମୀଟିଏ
ହୃଦୟେ ଶୁଦ୍ଧତା ଭରି
ସେନେହ ଡୋରିରେ ବାନ୍ଧି ଦିଏ ସେହି
ସଭିଙ୍କୁ ଆପଣା କରି।
ଆଖିର ଲୁହକୁ ହୃଦୟ ମଧ୍ୟରେ
ରଖେ ସେ ଗୋପନ କଥା
କେତେ ଯେ ଯାତନା କେତେ ଯେ ଲାଞ୍ଛନା
ଜଳି ହୁଏ ସେ ସଳିତା।
ସନ୍ତାନ ପାଇଁ ସେ ପ୍ରସଵିନୀଟିଏ
ବାତ୍ସଲ୍ୟ ମମତା ଢାଳେ
ବଂଶ ରକ୍ଷା ପାଇଁ କଷ୍ଟ ଯାଏ ସହି
ମାତୃତ୍ଵ ଲାଭ ସେ କରେ।
ପତି ଦୁଃଖେ ଦୁଃଖୀ ସୁଖରେ ତ ସୁଖୀ
ହୋଇଥାଏ ସହଚର
ପତିଙ୍କ ମନର ଭାବନାକୁ ବୁଝି
କରିଥାଏ ସେ ନିଜର।
ଉତ୍କୃଷ୍ଟ ଘରଣୀ ସାଜିଥାଏ ଵଧୂ
ସ୍ୱାମୀଙ୍କ ଭାବକୁ ନେଇ
ପତ୍ନୀ ଧର୍ମ କରି ସେବା ପରାୟଣ
ଯେଉଁ ନାରୀ କରୁଥାଇ।
ଈଶ୍ୱର ସନ୍ତୋଷ ଲାଭ କରେ ସେହି
ହୋଇଥାଏ ସୁଲକ୍ଷଣୀ
ଶଙ୍ଖା ସିନ୍ଦୂରକୁ ସଙ୍ଗତରେ ଘେନି
ସାଜିଥାଏ ଅହୈରାଣୀ।
ଦୁହିତା ଅଟଇ ଦୁଇ କୁଳକୁ ଲୋ
ବାପଘର ଶାଶୁଘର
ଗୃହଲକ୍ଷ୍ମୀ ହୋଇ ମର୍ଯ୍ୟାଦାକୁ ଜଗି
ରଖିବୁ ସମ୍ମାନ ତୋର।
