STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଗୋରୀ ସ୍ତ୍ରୀ ମୋର

ଗୋରୀ ସ୍ତ୍ରୀ ମୋର

1 min
32

ଖୋଜି ଖୋଜି ଗୋରୀ ଝିଅ ବାହା ହେଲି

କାଳି ଝିଅ ଦେଖି ଟେକିଲି ନାକ

ବାହାଘର ପରେ ଗାଡିରେ ବୁଲିବି

କାବା ହେବେ ଦେଖି ସାଇର ଲୋକ।


ବାହା ବାସି ଠାରୁ ଆରମ୍ଭ ହୋଇଲା

ଗୋରୀ ବୋହୁର ସେ ଗୁଣ ଗ୍ରାମ।

ଶୋଇବା ଘରର କବାଟ ଖୋଲିଲା

ସରିଯାଏ ଯେବେ ଘର କାମ।


ଶାଶୁଙ୍କୁ ଭାବେ ସେ ପୁରୁଣା କାଳିଆ

ଯାଆଟା ଅଟେ ଯେ ମଫସଲି।

ନଣନ୍ଦଙ୍କ ଆଗେ ବାହାଦୁରି ମାରେ, 

ଗୋରୀ ସୁନ୍ଦରୀ ସେ ଅଟେ ବୋଲି।


ଘରେ ନ ଥିଲା ଯେ ବସିବାକୁ ଯାଗା

ଏଠାରେ ଖାଉଛି ଯେତେ ଭାଉ।

"ବେଡ଼ରୁମକୁ ମୋ କେହି ଆସନାହିଁ"

ଦଉଛି ଦୁଆର ଯାଉ ଯାଉ।


ଦିନ କୋଡିଏଟା ଶାଶୁ ଘରେ ରହି

ଯାଇଥିଲା ବୁଲି ବାପ ଘର

ମା ଶିଖେଇଲା ଯାଆ ନାହିଁ ଝିଅ

ଶାଶୁ ଘରେ ହେବୁ ନାରଖାର।


ମା କଥା ମାନି ରହିଲା ସୁନ୍ଦରୀ

 କହିଲା ଶୁଣ ମୁଁ ଯିବି ନାହିଁ।

ଘର ତୁମ ଅଟେ ପୁରୁଣା କାଳିଆ

ଚଳି ପାରିବିନି ସେଠି ରହି।


ଗୋରା ଦେହ ମୋର କଳା ପଡ଼ିଯିବ

ଶାଶୁ ଘରେ କିଆଁ ହେବି ଧନ୍ଦି

ଘର ଭଡ଼ା ନେଇ ସହରେ ରହିବା

ମିଛକହି କରୁଥାଏ ଫନ୍ଦି।


ତୁମେ କରିଅଛ ବଡ଼ ଚାକିରିଟେ

ଟଙ୍କା ପଇସା କି ଅଭାବ ଆମ ।

ମୁଁ କାହିଁ ଖଟିବି ତୁମ ଘରେ ଯାଇ

ଚାକର ରଖିବି କରିବ କାମ।


ମୁଣ୍ଡରେ ହାତକୁ ଦେଇ ବସିଗଲି

ବିଚରା ହୋଇଲି ମୁଁ କାଇଲା,

ଗୋରା ରଙ୍ଗ ଦେଖି ଫସିଗଲି ଏବେ

ସୁନ୍ଦରୀ ସ୍ତ୍ରୀ ତ ସବୁ ସାଇଲା।


 ଏଟିଏମ କାର୍ଡ ମୋ ତା' ଭ୍ୟାନିଟିରେ,

ହାତ ପତେଇ ମୁଁ ମାଗେ ଟଙ୍କା

ବାପଘରେ ତାର ନିତି ଭୋଜି ହୁଏ,

ଦେଖି ଦେଖି ହୋଇଯାଏ ବୋକା।


ପାର୍ଲରକୁ ଯାଏ ଦିନେ ଛାଡ଼ି ଦିନେ

ମଲକୁ ଯାଏ ସେ ସପିଂ କରି।

ସାଙ୍ଗରେ ଯାଇ ମୁଁ ଗାଡି ଜଗି ବସେ

ରଖେ ମୋତେ ଡ୍ରାଇଭର କରି।


ଶାଶୁଘର ଯଦି ଡାକିବେ ଯିବାକୁ

ଦେହ ଖରାପ ଯେ ହୁଏ ତାର।

ଭୋଜି ଭାତହେଲେ ଗୋଡ଼ ଟେକି ଯାଏ

ଆସିବାକୁ ହୁଏ ତର ତର।


ମନ ମାନି ଗଲା ବାହା ହୋଇ ତାକୁ

ହେଜୁଛି ଏବେ ମୁଁ ରୂପ ତୁଚ୍ଛ

ହୃଦୟ ଯାହାର ସୁନ୍ଦର ସୁଠାମ

ସୁନ୍ଦର ରୂପ ତ ଖାଲି ମିଛ।

  


Rate this content
Log in