ଗୋପୀ ଆଳାପ
ଗୋପୀ ଆଳାପ
ଆଜ ସେ ନାଗରୀ ବର
ବୋଲଇ ନାହିଁ ଗୋ ତର
କାହିଁ ସେ କହ୍ନାଇ କ୍ଷଣିକ ଅନାଇ
ରସାଇ ଛାଡିଲା ଡର ।
ଓଢଣୀ ଦେଲା ସେ ଟାଣି
ଦେଖାଇ ଭଙ୍ଗିମା ଠାଣି
ଏତେ ସରି ଭଲା ହନ୍ତସନ୍ତ କଲା
କେମନ୍ତେ ଆଣନ୍ତି ପାଣି ।
ରସିକ ପଣିଆ ଥାଟେ
ମୁରଲୀ ବଜାଇ ବାଟେ
ମୁଁ ତ ବ୍ରଜବାଳୀ ପଛେ ପଛେ ଚାଲି
ଜଗିଥିଲା ନଦୀ ଘାଟେ ।
ଲୁଚି ସେ କେଉଁଠି ଥିଲା
ଗୁପତେ ଲଗାଇ ଲୀଳା
ଫୁଙ୍କି ଯେ ମନ୍ତର ହୋଇଲା ଅନ୍ତର
ତରଳାଇ ଧୈର୍ଯ୍ୟ ଶିଳା ।
କୁଞ୍ଚିତ ତାହାର କେଶ
ମଦନ ମୋହନ ବେଶ
ନହୁଏ ବିସୋର କଲା ଯା' କିଶୋର
ଥୟ ତ ଲାଗୁନି ଲେଶ ।
ଚପଳ ମତି କି ତାର
ଛୁଇଁଗଲା ବାରବାର
ଶ୍ୟାମଘନ ମୁଖ ଦେଖି ଲାଗେ ସୁଖ
ସରଗ କେତେ ବା ଛାର ।
ହେଲେ ହେଉ ପଛେ ପାପ
ସହି ହେଲାନି ଲୋ ତାପ
ଯମୁନା ବକ୍ଷରେ ତା ତୁଲେ ସଖ୍ୟରେ
ଖେଳିଥିଲି ବାହି ଚାପ ।
&
nbsp; ଛଇଳ ଛବି ଛଟକ
ନୟନେ ରଖି ଅଟକ
ହାତ ଥୋଇ ହାତେ ବିଚରିଲି ସାଥେ
ଗୋବରଧନ କଟକ ।
ଅଧୀର ପାହୁଡ ପାଦେ
ମଧୁର ନୂପୁର ନାଦେ
ହେଲି ଯାହା ବଣା କାହୁଁ ତୋତେ ଜଣା
ମରୁଅଛି ଅବସାଦେ ।
ରସିକ ପୁଅ ନନ୍ଦର
ବୁଲନ୍ତେ ଗିରି କନ୍ଦର
ରଚିଲା ପୀରତି ଦେଖି ସେ କୀରତି
ପୋତିଲା ମଥା ମନ୍ଦର ।
ମନକୁ ତାହାର ତୋଷି
ଡୋଳା ଦେଇଥିଲି ଖୋସି
ବଇଁଶୀ ଅଧରେ ପ୍ରଣୟ ଛନ୍ଦରେ
ରହିଲି ତା' ନାମ ଘୋଷି ।
ଯାହା କଲା ଚିତ୍ତଚୋର
ପ୍ରାଣନାଥ ବୋଲି ମୋର
କହି ଗଲା କାନେ ନକହିବୁ ଆନେ
ଲାଜ ଲାଗିଲାଣି ଘୋର ।
ମଦନ ମୋହନ ଫାଶ
ଅଳପ ନୋହେ ତା' ରାସ
ଅନୁରାଗେ ମନ ହେଲାଣି ଉଚ୍ଛନ୍ନ
ଧରମ ଗଲା ଲୋ ନାଶ ।
ରଙ୍ଗାଧର ବିମ୍ବ ପାଟି
ଧଇର୍ଯ୍ୟ ଦେଇଛି କାଟି
ମଧୁର ପରଶେ ହିୟା ମୋ ହରଷେ
ସତେକି ଯାଇଛି ଫାଟି ।