ଗୋଲାପ
ଗୋଲାପ
ଗୋଲାପ ଫୁଲଟି
ସବୁବେଳେ ଦେଖ
ମୁରୁକି ମୁରୁକି ହସେ,
ପାଖ ଦେଇ ଟିକେ
ଚାଲିଗଲେ ତାର
ଗୋଲାପୀ ଗୋଲାପୀ ବାସେ ।
କେତେବେଳେ ସିଏ
ସମର୍ପିତ ହୁଏ
ପ୍ରଭୁ ପାଦ କମଳରେ,
କେତେବେଳେ ଅବା
ଶୋଭା ପାଉଥାଏ
ଫୁଟି ପୁଷ୍ପ ବାଟିକାରେ ।
ବେଳେବେଳେ ସେ ତ
ବର୍ଦ୍ଧନ କରଇ
ମଧୁଶାଳାପୁର ଶୋଭା,
ହସୁଥାଏ କେବେ
ପ୍ରେୟସୀ ମଥାରେ
ମଣ୍ଡିଦେଇ ତାର ଗଭା ।
ମନ୍ଦିର ହେଉ ବା
ମଧୁଶାଳାପୁର
ହେଉବା ପ୍ରେୟସୀ ଗଭା,
ସବୁ ଯାଗାରେ ସେ
ସୈାନ୍ଦର୍ଯ୍ୟର ଖଣି
ପ୍ରକାଶଇ ତାର ଆଭା ।
ସୈାନ୍ଦର୍ଯ୍ୟର ଖଣି
ହେଲେବି ଗୋଲାପ
କଣ୍ଟକିତ ଶେଯେ ଶୁଏ,
ସବୁବେଳେ ଭୟ
କାଳେ କେତେବେଳେ
ଛିଡାଇ ନେବକି କିଏ ।
ସୈାନ୍ଦର୍ଯ୍ୟଟି ତାର
ସମ୍ପଦ ଅଟଇ
କଣ୍ଟକ ଅଟେ ବିପଦ,
ସମ୍ପଦ ପଛରେ
ରହିଛି ବିପଦ
ହସ ପଛେ ପଛେ ଖେଦ ।
ସମ୍ଫଦ ବିପଦ
ଆଉ ଦୁଃଖ ସୁଖ
ପାଖାପାଖି ଥାଏ ରହି,
କାହା ପାଖେ ଖାଲି
ରହିଛି ସମ୍ପଦ
ବିପଦ ପାଶେ ନଥାଇ ।
ଧନୀ ଲୋକ ପରା
ଗୋଲାପ ପରାୟେ
କଣ୍ଟକିତ ଶେଯେ ଶୁଏ,
ଚୋର ଡକାୟତ
ରାଜକର ଭୟେ
ଆଖିରେ ନିଦ ନଥାଏ ।
ସୈାନ୍ଦର୍ଯ୍ୟ ସମ୍ପଦ
ଏ ଦୁଇ ପଛରେ
ବିପଦ ରହିଛି ଟାକି,
ଗୋଲାପ ତୋଳିଲେ
କଣ୍ଟା ଆଘାତକୁ
ଡରିଗଲେ ଚଳିବକି!