ଗଣିତ ସାଥୀରେ ସାହିତ୍ୟର କଳି
ଗଣିତ ସାଥୀରେ ସାହିତ୍ୟର କଳି
ଗଣିତ ସାଥୀରେ ସାହିତ୍ୟର ଦିନେ
ଲାଗିଗଲା ଘୋର କଳି
କିଏ ତୁଟାଇବ କଳି ଟି ତାଙ୍କର
ଦୁହେଁ ତ ଦୁହିଙ୍କି ବଳି l
ରାଗେ ଜର ଜର ଗଣିତ କହିଲା
ତୁ ଗୋଟେ ସାହିତ୍ୟ ଛାର
ଖଦ୍ୟୋତ ହେଲେ ତୁ ମୁଁ ଯେ ପ୍ରଭାକର
ସରି ହେବୁନିରେ ମୋର l
ମୁଦି ନାହିଁ ତୋର ଗୋଡ଼କୁ କଚାଡୁ
ହେବ ତୋ ଗୋଡ଼ ଦରଜ
ତୋ ଠାରୁ ମିଳେନି ଅଧିକ ନମ୍ବର
ମାଡୁନାହିଁ ତୋତେ ଲାଜ l
ଲୋଡ଼ା ହୁଏ ନାହିଁ ଟିଉସନ ତୋର
ମୋ ପାଇଁ ଶିକ୍ଷକ ଖଞ୍ଜା
ଡିଭିଜନ ପାଇଁ ଲୋଡ଼ା ମୋ ନମ୍ବର
ପାଠ ଭିତରେ ମୁଁ ରଜା l
ସବୁ ପିତାମାତା ଆଗେ ପଚାରନ୍ତି
ଗଣିତର ଫଳାଫଳ
ସାହିତ୍ୟ ନମ୍ବର ପଚାରି ବୁଝନ୍ତି
ପିଲା ହେଲେ ଅସଫଳ l
ବିଜ୍ଞାନ ସହିତ ମୋର ଘନିଷ୍ଠତା
କ୍ଷୀର ସଙ୍ଗେ ଯଥା ନୀର
ବ୍ୟାଙ୍କ ବ୍ୟବସାୟ ଆର୍ଥିକ ପ୍ରଗତି
ଥାଏରେ ସମ୍ପୃକ୍ତି ମୋର l
ସଂଭାଳି ନପାରି ମର୍ମଭେଦୀ ବାଣୀ
ଗଣିତ ମୁଖରୁ ଶୁଣି
କ୍ରୋଧେ ପ୍ରଜ୍ବଳିତ ସାହିତ୍ୟ କହିଲା
ଆରେ ମୁଁ ହୃଦୟ ମଣି l
ମୁଁ ଅଟେ ସାହି
ତ୍ୟ ହୃଦୟର ଭାଷା
ବିବେକ ନିଃସୃତ ବାଣୀ
ଭାଷାର ପ୍ରଗତି ପ୍ରଚାର ପ୍ରସାରେ
ତୋଠାରୁ ମୁଁ ଜ୍ଞାନୀ ଗୁଣୀ l
ତୁ ଛାର ଗଣିତ ସୂତ୍ରରେ ତୁ ବନ୍ଧା
ସୂତ୍ର ନ ପଡିଲେ ମନେ
ନାହିଁ ଦୟା ମାୟା ଦେଇଥାଉ ଶୂନ
ପିଲା କାନ୍ଦେ ଘର କୋଣେ l
ଜାତି ପରିଚୟ ଦେଇଥାଏ ମୁହିଁ
ଜାତି ସ୍ୱାଭିମାନ ଦେଇ
ଭାଷା ସମୃଦ୍ଧିରେ ଜାତିର ମାନ୍ୟତା
ମୋର ଗୁଣ ଗ୍ରାମ ନେଇ l
ଶବ୍ଦ ସଂଯୋଜନା ପଦରେ ଲାଳିତ୍ୟ
ଥିଲେ ଭାବ ପ୍ରବଣତା
ଥିଲେ ସରସତା ଲେଖା ରୁଚିପୂର୍ଣ୍ଣ
ଦେଇଥାଏ ମୁଁ ମାନ୍ୟତା l
ଭୁଲ ବୁଝିପାରି ଗଣିତ ଧରିଲା
ଯାଇ ସାହିତ୍ୟର ହାତ
କ୍ଷମା କରିଦିଏ ମୋତେ ତୁ ସାହିତ୍ୟ
ଆମେ ପରା ଦୁଇ ମିତ l